ଭଦ୍ରକ : ଯୌତୁକ ଜୁଇରେ ନବବଧୂ । ଯୌତୁକ ପାଇଁ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ । ସ୍ବାମୀ ସମେତ ପରିବାରର ଅନ୍ୟ ସଦସ୍ୟ ଯୋଜନା ବଦ୍ଧ ଭାବେ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅନ୍ତର୍ଗତ ବାହାରପାଳ ଗାଁରେ । ମୃତ ମହିଳାଙ୍କ ସ୍ବାମୀକୁ ପୋଲିସ ଅଟକ ରଖି ପଚରା ଉଚରା ଜାରି ରଖିଛି । ମୃତ ମହିଳା ଜଣକ ହେଲେ ପ୍ରତାପ ପାଢୀଙ୍କ ସ୍ତ୍ରୀ ସୁପ୍ରିଆ ପାଢୀ ।
ସୂଚନା ଅନୁସାରେ, ଚଳିତ ବର୍ଷ ଫେବୃଆରୀ ମାସରେ ତିହିଡି ଥାନାଧିନ ଶଙ୍ଖିଡା ଗାଁର ବୁଦ୍ଧିରାମ ପାଢୀଙ୍କ ଝିଅ ସୁପ୍ରିଆ ବୈଦିକ ରିତିରେ ଯାନି ଯୌତୁକ ସହିତ ପ୍ରତାପ ପାଢୀକୁ ବିବାହ କରିଥିଲା । ମାତ୍ର ବିବାହର କିଛି ଦିନ ପରେ ସ୍ବାମୀ ସମେତ ପରିବାର ଲୋକେ ଯୌତୁକ ଜନିତ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଥିଲେ ବୋଲି ଅଭିଯୋଗ ହୋଇଥିଲା । ଏପରିକି ସେମାନେ ସୁପ୍ରିଆର ବ୍ୟବହୃତ ମୋବାଇଲ ମଧ୍ୟ ପିଟିପିଟି ଭାଙ୍ଗି ଦେଇଛନ୍ତି ।
ବାପ ଘର ଲୋକଙ୍କ ହସ୍ତକ୍ଷେପରେ ସାମୟିକ ବୁଝାବଣା ହୋଇଥିଲା । ତେବେ ସୁପ୍ରିୟାଙ୍କ ଦେହ ଅସୁସ୍ଥ ଥିବାରୁ ସେ ମେଡିକାଲେ ଥିବା ନେଇ ବାପଘର ଲୋକଙ୍କୁ ଖବର ଦେଇଥିଲେ ଶାଶୁଘର ଲୋକେ । ପରେ ବାପଘର ଲୋକେ ମେଡିକାଲରେ ପହଞ୍ଚି ଦେଖିବା ସମୟରେ ସୁପ୍ରିଆଙ୍କ ମୃତ୍ୟୁ ହୋଇଥିଲା । ରଶି ଲଗାଇ ସୁପ୍ରିଆ ଆତ୍ମହତ୍ୟା କରିଥିବା ନେଇ ଶ୍ବଶୁର ଘରଲୋକ କହିଛନ୍ତି । ତେବେ ବାପାଘର ଲୋକେ ଏହାକୁ ଅସ୍ବୀକାର କରିବା ସହ ସୁପ୍ରିଆକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହ ଉଦ୍ଧାର କରି ସ୍ବାମୀକୁ ଅଟକ ରଖି ପଚରା ଉଚୁରା ଚଳାଇଛି ।
ଇଟିଭି ଭାରତ, ଭଦ୍ରକ