ଭଦ୍ରକ: ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ ସମୟରେ ବିଜେପି କର୍ମୀଙ୍କୁ ମାଡ଼ ଘଟଣାକୁ ନେଇ ଭଦ୍ରକ ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦ ଶୋଭାଯାତ୍ରା । ସହରରେ ବିଜେପି ଯୁବ ମୋର୍ଚ୍ଚାର ନେତାଙ୍କୁ ମାଡ଼ ହୋଇଥିବାରୁ ପ୍ରତିବାଦ କରିଛି ଦଳ ।
ସୂଚନାଯୋଗ୍ୟ ଯେ, ଗତକାଲି(ଶୁକ୍ରବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦା ଗସ୍ତରେ ଯାଇଥିବା ସମୟରେ ଭଦ୍ରକ ବିଜେପି ଯୁବମୋର୍ଚ୍ଚାର କେତେକ ନେତା ଓ କର୍ମୀ ବ୍ୟାରିକେଡ ଭିତରକୁ ଧସେଇ ପଶିବା ବେଳେ କେତେକ ଲୋକେ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ ହେଉଛି । ବିଜେପି ଯୁବ ମୋର୍ଚ୍ଚା ଅଭିଯୋଗ କରିଛି ଯେ, ବିଜେପି ଯୁବମୋର୍ଚ୍ଚାର ଆଇଟି ସେଲ ରାଜ୍ୟ ସମ୍ପାଦକ ତଥା ବିରୋଧି ଦଳର ଉପନେତା ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ବିଜେପି ଯୁବ ମୋର୍ଚ୍ଚାର ପୂର୍ବତନ ସମ୍ପାଦକ ଦେବାଂଶୁ ରାଉତ ଓ ଅନ୍ୟ କର୍ମୀଙ୍କୁ ବିଜେଡି କର୍ମୀମାନେ ମାଡ଼ ମାରିଛନ୍ତି ।
ଏହି ଘଟଣାକୁ ପ୍ରତିବାଦ କରି ଯୁବ ମୋର୍ଚ୍ଚା ସଦସ୍ୟମାନେ ଭଦ୍ରକ ସହରରେ ପ୍ରତିବାଦ ଶୋଭାଯାତ୍ରା କରିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ