ବ୍ରହ୍ମପୁର: କୋରୋନା ଭୟରେ ଭୁଲିଗଲେ ମାନବିକତା । ମୃତଦେହକୁ ମିଳିଲାନି ଚାରି କାନ୍ଧ । ମୃତ୍ୟୁ ପରେ ଅନ୍ତିମ ସତ୍କାର କରିବାକୁ ଆସିଲେନି ବନ୍ଧୁ ପରିଜନ, ଆତ୍ମୀୟସୌଜନ । ବାଧ୍ୟ ହୋଇ ମୃତଦେହକୁ ଘୋଷାଡି ଘୋଷାଡି ଶ୍ମଶାନକୁ ନେଲେ ଭାଇଭଉଣୀ । ଆଉ ଶେଷରେ ଜେସିବିରେ ଗାତଖୋଳି ପୋତିଲା ପ୍ରଶାସନ । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ଗୋପିନାଥପାଟଣା ଅଞ୍ଚଳରେ ।
କବିସୂର୍ଯ୍ୟନଗରର ଗୋପିନାଥପାଟଣା ଅଞ୍ଚଳର ସୋମନାଥ ପାତ୍ର ଗତ 10 ଦିନ ହେବ ଜ୍ବର ଓ କାଶରେ ପୀଡିତ ଥିଲେ । ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବା ପରେ ତାଙ୍କୁ ତାଙ୍କ ସାନଭାଇ ଓ ଭଉଣୀ କବିସୂର୍ଯ୍ୟନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ କୋରୋନା ଲକ୍ଷଣ ଥିବା ସନ୍ଦେହରେ ଆମ୍ବୁଲାନ୍ସ ଯୋଗେ କୋଭିଡ୍ ହସ୍ପିଟାଲକୁ ପଠାଯାଇଥିଲା । ହେଲେ ଯିବାବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।
ଫଳରେ ମୃତଦେହକୁ ନେଇ ଭାଇ-ଭଉଣୀ ଗାଁକୁ ଫେରିଥିଲେ । ତେବେ ଗାଁରେ ପହଞ୍ଚିବା ପରେ ମୃତଦେହକୁ କେହି ଶ୍ମଶାନ ପର୍ଯ୍ୟନ୍ତ ନେବା ପାଇଁ ନଆସିବାରୁ ବାଧ୍ୟ ହୋଇ ଦୁଇ ଭାଇଭଉଣୀ ମୃତଦେହକୁ ଘୋଷାଡି ଘୋଷାଡି ନିକଟସ୍ଥ ନଦୀ ପଠାରେ ଥିବା ଶ୍ମଶାନକୁ ନେଇଥିଲେ ।
ସେଠାରେ ଜେସିବି ସାହାର୍ଯ୍ୟରେ ଗାତଖୋଳି ମୃତଦେହକୁ ପୋତିଦେଇଥିଲେ । ତେବେ ଶବକୁ ଅନ୍ତିମ ସତ୍କାର କରାଯିବା ବଦଳରେ ଜେସିବିରେ ଖୋଳାଯାଇ ପୋତାଯିବା ଘଟଣା, ସଭ୍ୟ ସମାଜ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।
ସେପଟେ ରୋଗକୁ ଘୃଣା କରନ୍ତୁ କିନ୍ତୁ ରୋଗୀ ନୁହେଁ । ଯେଉଁ ବ୍ୟକ୍ତିବିଶେଷଙ୍କର ପଜେଟିଭ୍ ଆସିନାହିଁ ତାହାକୁ ଭୟ କରିବାର ଆବଶ୍ୟକତା ନଥିବାରୁ ଜନସାଧାରଣ କେବଳ ସତର୍କ ରୁହନ୍ତୁ,ସଚେତନ ହୁଅନ୍ତୁ ବୋଲି ଅଡିଓ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ସ୍ଥାନୀୟ ଥାନାଧିକାରୀ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ