ବ୍ରହ୍ମପୁର: କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଷ(Union minister Darshana Jardosh) ତିନିଦିନିଆ ଗଞ୍ଜାମ ଗସ୍ତରେ ଆସିବେ । ଏ ନେଇ ଜୋରଦାର ଦଳୀୟ ପ୍ରସ୍ତୁତି ହୋଇଛି । ଆସନ୍ତା ଅକ୍ଟୋବର ୧୨ ଠାରୁ ୧୪ ତାରିଖ ତିନି ଦିନ କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଷଙ୍କ ଗଞ୍ଜାମ ଗସ୍ତକୁ ନେଇ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କରିଛି । ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବ୍ରହ୍ମପୁର ରେଳ ଷ୍ଟେସନ୍ ରୋଡ଼ ସ୍ଥିତ ସରକିଟ୍ ହାଉସ୍ ଠାରେ ଅନୁଷ୍ଠିତ ହୋଇଯାଇଛି ।
କେନ୍ଦ୍ର ମନ୍ତ୍ରୀ ଦର୍ଶନା ଜରଦୋଷ ଆସନ୍ତା ୧୨ ତାରିଖ ଦିନ ପୂର୍ବାହ୍ନ ୧୧ଟାରେ ବ୍ରହ୍ମପୁରରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗରିବ କଲ୍ୟାଣ ଯୋଜନାର କାର୍ଯ୍ୟ ତଦାରଖ କରିବେ । ଏହା ପରେ ଦଳୀୟ ସାଙ୍ଗଠନିକ କାର୍ଯ୍ୟକ୍ରମରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ପଦାଧିକାରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ ବ୍ରହ୍ମପୁରର ପ୍ରସିଦ୍ଧ ପାଟ ବୁଣାକାରଙ୍କ ମାନଙ୍କୁ ସାକ୍ଷାତ କରିବା ସହ ବ୍ରହ୍ମପୁରର ଆରାଧ୍ୟ ଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରିବେ । ୧୩ ତାରିଖ ଦିନ କୁକୁଡ଼ାଖଣ୍ଡି ଠାରେ ଏବଂ ଦିଗପହଣ୍ଡି ବିଧାନସଭା କ୍ଷେତ୍ରରେ କେନ୍ଦ୍ରରୁ ଆସୁଥିବା ଅନୁଦାନର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ସହ ଦଳୀୟ ସାଙ୍ଗଠନିକ କାର୍ଯ୍ୟରେ ଯୋଗ ଦେବେ । ଅପରାହ୍ନରେ ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଗୋଳନ୍ଥରା ଠାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ଦେବେ ।
୧୪ ତାରିଖ ସକାଳେ ଗୋପାଳପୁର ଠାରେ ସମୁଦ୍ର କୂଳରେ ସ୍ବଚ୍ଛତା କାର୍ଯ୍ୟକ୍ରମରେ ଭାଗ ନେବା ସହ କୋଷ୍ଟଗାର୍ଡ କର୍ମଚାରୀମାନଙ୍କୁ ସାକ୍ଷାତ କରିବା ସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାପରେ କେନ୍ଦ୍ର ମନ୍ତ୍ରୀ ଛତ୍ରପୁର ଯାଇ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବା ସହ ସାମ୍ୱାଦିକ ସମ୍ମିଳନୀରେ ଯୋଗ ଦେବେ । ପରେ ରମ୍ଭା ଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବା ପରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତନ କରିବେ । କେନ୍ଦ୍ର ମନ୍ତ୍ରୀଙ୍କ ଏହି ତିନିଦିନିଆ ଗସ୍ତକୁ ନେଇ ଶନିବାର ଦଳ ପକ୍ଷକୁ ବସିଥିବା ପ୍ରସ୍ତୁତି ବୈଠକରେ ବିଭିନ୍ନ ପଦାଧିକାରୀଙ୍କୁ ବିଭିନ ଦାୟିତ୍ବ ଦିଆଯାଇଥିଲା । ପୂର୍ବରୁ ଜୁଲାଇ ମାସରେ ଗଞ୍ଜାମ ହିଞ୍ଜିଳକାଟୁ ଗସ୍ତରେ ଆସିଥିଲେ ବୟନ ଶିଳ୍ପ କେନ୍ଦ୍ରମନ୍ତ୍ରୀ ଦର୍ଶନା ଜରଦୋଷ ।
ଏହା ବି ପଢନ୍ତୁ: କାର୍ତ୍ତିକ ବ୍ରତ ପାଳିବାକୁ ହବିଷ୍ୟାଳୀଙ୍କ ପୁରୀ ଯାତ୍ରା
ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସମେତ ଗଞ୍ଜାମ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ ତଥା ବ୍ରହ୍ମପୁର ବିଧାନସଭା ବିଧାୟକ ପ୍ରାର୍ଥୀ କାହ୍ନୁ ଚ଼ରଣ ପତି, ସରୋଜ ସାବତ, ପ୍ରଶାନ୍ତ କର, ମହନ୍ତ ଚିନ୍ମୟାନନ୍ଦ ଦାସ, କାମନା ପାଢୀ, ଡ଼ା.ସୁବାଷ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ବ୍ରହ୍ମପୁର