ବ୍ରହ୍ମପୁର: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କୋରୋନାର ଦ୍ବିତୀୟ ଲହର । ଆଉ ଏହାରି ମଧ୍ଯରେ ଅନେକ ବ୍ୟକ୍ତିଙ୍କର ମୃତ୍ୟୁ ମଧ୍ୟ ଘଟିଲାଣି । ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସହରର ବଡବଜାରରେ ଥିବା ଦେଶୀ ବେହେରା ସାହିର ବ୍ଯବସାୟୀମାନେ ଏକ ବୈଠକ କରିଛନ୍ତି । ଦିନ 2ଟା ପରେ ବ୍ୟବସାୟ ନକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଦିନ ଦୁଇଟା ମଧ୍ୟରେ ବ୍ୟବସାୟ ଶେଷ କରିବା ପରେ ଆଉ ଏକ ଘଣ୍ଟା ମଧ୍ଯରେ ସମସ୍ତ କାରବାର ଶେଷ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଭଳି ନିଷ୍ପତ୍ତିକୁ ଆସନ୍ତା ମେ ମାସର 15 ତାରିଖ ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ବ୍ଯବସାୟୀ ସଙ୍ଘର ସମ୍ପାଦକ ସୂଚନା ଦେଇଛନ୍ତି । ଦକ୍ଷିଣ ଓଡିଶାବାସୀ ଏହି ବଜାର ଉପରେ ନିର୍ଭର କରୁଥିବାରୁ ଏଭଳି ସୀମିତ ସମୟରେ ବ୍ୟବସାୟ କରିବେ ବୋଲି କହିଛନ୍ତି ।
ସେପଟେ ସଂକ୍ରମଣର ଭୟାବହତାକୁ କମାଇବା ପାଇଁ ସହାୟତାର ହାତ ବଢାଇଛନ୍ତି ବ୍ରହ୍ମପୁର ସହରର ହାର୍ଡୱେର ମାର୍କେଣ୍ଟ ଆସୋସିଏସନ୍ । ସହରରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମେ ୨ ତାରିଖ ପର୍ଯ୍ୟନ୍ତ ସଂଘ ସହ ରହିଥିବା ସମସ୍ତ ଦୋକାନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସଂଘର କର୍ମକର୍ତ୍ତା। ସଂଘ ସଭାପତି ପି.ଏନ୍ ମୂର୍ତ୍ତି ଓ ସମ୍ପାଦକ ଜାମୁଲା ସୁରେଶଙ୍କ ସହ ସମସ୍ତ କର୍ମକର୍ତ୍ତା ମାନେ ଅନ୍ଲାଇନରେ ବୈଠକ କରି ଏଭଳି ନିଷ୍ପତ୍ତି ନେଇଛନ୍ତି । ସହରର ବଡ଼ ବଜାର ଅଞ୍ଚଳ, ଚନ୍ଦ୍ରମା ସାହି, ଦେଶୀବେହେରା ସାହି, ନଡ଼ିଆ ବଜାର, ବଡ଼ବଜାର ଓ ସାନବଜାର ଭଳି ପ୍ରମୁଖ ସ୍ଥାନରେ ରହିଥିବା ଏହି ହାର୍ଡୱେର ବ୍ଯବସାୟୀମାନେ ନିଜର ଦୋକାନକୁ ନିଜ ପକ୍ଷରୁ ବନ୍ଦ ରଖିବାକୁ ସ୍ଥିର କରିଥିବା କହିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ,ଇଟିଭି ଭାରତ