ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କୋରୋନା ସ୍ଥିତି ଚିନ୍ତାଜନକ ରହିଥିବା ବେଳେ ଇତି ମଧ୍ୟରେ ବହୁ ବ୍ୟକ୍ତିବିଶେଷଙ୍କ ମୃତ୍ୟୁ ଘଟିଲାଣି । ଏପରିକି ଗତ ତିନିଦିନ ମଧ୍ୟରେ ଜିଲ୍ଲାରେ କୋରୋନା ମୁକାବିଲାରେ ନିୟୋଜିତ ଥିବା ଆଗଧାଡିର କୋରୋନା ଯୋଦ୍ଧାଙ୍କ ମଧ୍ୟରୁ ଦୁଇ ଜଣ ଶିକ୍ଷକଙ୍କ ସମେତ ଜଣେ ଅଙ୍ଗନୱାଡି କର୍ମୀ ଓ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ଘଟଣାକୁ ଜିଲ୍ଲା ପ୍ରଶାସନ ଗୁରୁତର ସହ ନେଇଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।
ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କୋରୋନା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେବା ଅବସରରେ ମୃତକଙ୍କ ପରିବାର ସହିତ ଜିଲ୍ଲା ପ୍ରଶାସନ ରହିଥିବା ସୂଚନା ଦେଇଛନ୍ତି । ମୃତକମାନେ କିଭଳି କୋରୋନା ମହାମାରୀ ସମୟରେ ନିଜର ଦାୟିତ୍ବ ସମ୍ପାଦନ କରିଥିଲେ ତାହାର ସମସ୍ତ ରିପୋର୍ଟ ସଂଗ୍ରହ କରି ରାଜ୍ୟ ସରକାରଙ୍କ ନିକଟକୁ ପଠାଇ ଦିଆଯିବ ବୋଲି କୁହାଯାଇଛି ।
ସେହିପରି ଶିକ୍ଷକମାନେ କୋଭିଡ କାର୍ଯ୍ୟରେ ବିଶ୍ରାମ ପାଇଁ ସେମାନେ ଦାବି କରୁଥିବା ବେଳେ ଜିଲ୍ଲା ପ୍ରଶାସନ ଗୋଟିଏ ସପ୍ତାହ କାର୍ଯ୍ୟ କରିବା ପରେ ପୁଣି ଏକ ସପ୍ତାହ ବିଶ୍ରାମ ନେବାର ବ୍ୟବସ୍ଥା କରିଛି ।
ଏପରିକି ପ୍ରଶାସନ ପକ୍ଷରୁ କୋରୋନା ମୁକାବିଲାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଏଣିକି ଅଧିକରୁ ଅଧିକ କର୍ମଚାରୀଙ୍କ ଟେଷ୍ଟିଂ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି । କୋଭିଡ ଡ୍ୟୁଟିରେ ରହିଥିବା କୌଣସି କର୍ମଚାରୀ ନିଜକୁ କୌଣସି ଅସୁସ୍ଥତା ବୋଲି ହୃଦବୋଧ କଲେ କିମ୍ବା କୋରୋନାର ଲକ୍ଷଣ ଦେଖାଦେଲେ ସେମାନଙ୍କୁ ତୁରନ୍ତ ଜଣାଇବାକୁ କୁହାୟାଇଛି । ଏହାର ଅନୁଧ୍ୟାନ କରିବା ପାଇଁ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ କୋଭିଡ୍ ମନିଟରିଂ ନିଯୁକ୍ତି କରାଯାଇଛି । ଏପରିକି ଏ ନେଇ କୌଣସି ସୂଚନା ମିଳିଲେ ବ୍ଲକସ୍ତରୀୟ ଅଧିକାରୀଙ୍କ ସ୍ବତନ୍ତ୍ର କ୍ଷମତା ବଳର ଏହାକୁ ମୁକାବିଲା କରିବେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ