ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଏକ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଦୁଇଜଣ ବାଳକ ଜନ୍ମଦିନ ପାଳନ କରାଯାଇଛି । ଜିଲ୍ଲାର ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ପଦ୍ମନାଭପୁର ନୋଡାଲ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଦୁଇ ବାଳକ ବୁଧବାର ରାତିରେ ଜନ୍ମଦିନ ପାଳନ କରିଥିଲେ । ତେବେ ଏହାକୁ ଆୟୋଜନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ସ୍ଥାନୀୟ ସରପଞ୍ଚ ବି. କ୍ରିଷ୍ଣାରାଓ ସୁବୁଦ୍ଧି ।
କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହୁଥିବା ଦୁଇ ବାଳକ ଏ. ସୁନୀଲ ରାଓ ଏବଂ ଏ. ଅନିକେତର ଜନ୍ମଦିନ ସମସ୍ତ ପ୍ରବାସୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ସାମାଜିକ ଦୂରତ୍ୱ ରକ୍ଷା କରି କେକ୍ କାଟି ଆଡ଼ମ୍ବର ସହକାରେ ପାଳନ କରାଯାଇଥିଲା ।
ଏଥିସହ ପ୍ରବାସୀ ଓ ସରପଞ୍ଚ ସମେତ କର୍ମଚାରୀ ମାନେ ଏହି ଦୁଇ ବାଳକଙ୍କୁ ଆଶୀର୍ବାଦ ଦେବା ସହ ସେମାନଙ୍କ ଦୀର୍ଘାୟୁ କାମନା କରିଥିଲେ । ପଦ୍ମନାଭପୁର ନୋଡାଲ ହାଇସ୍କୁଲ କେନ୍ଦ୍ରରେ ମୋଟ ୯୭ ଜଣ ପ୍ରବାସୀ ରହୁଥିବା ବେଳେ ସ୍ଥାନୀୟ ସରପଞ୍ଚ ସୁବୁଦ୍ଧିଙ୍କ କହିବା କଥା ପ୍ରତ୍ୟେକ ଦିନ ପ୍ରବାସୀଙ୍କ ଭଲମନ୍ଦ ବୁଝିବା ସହ ମନୋରଞ୍ଜନ କରିବା ପାଇଁ ଭଜନ ସମାରୋହ, ଶାରୀରିକ ସୁସ୍ଥ ନିମନ୍ତେ ଯୋଗ, ପ୍ରାଣାୟମ ହେଉଥିବା ବେଳେ ଶିଶୁ ମାନଙ୍କୁ କ୍ରୀଡା ସାମଗ୍ରୀ ସହ ପୁସ୍ତକ ବଣ୍ଟନ କରିଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ