ଭୁବନେଶ୍ବର/ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭିଡିଓ କନଫରେନ୍ସି ଜରିଆରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କ ସହିତ କୋଭିଡ୍ ପରିଚାଳନା ସମ୍ପର୍କରେ ଆଲୋଚନା କରିଛନ୍ତି । ଗଞ୍ଜାମ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଜିଲ୍ଲାର ସରପଞ୍ଚମାନେ ଯେଭଳି ଦକ୍ଷ ନେତୃତ୍ବର ପରିଚୟ ଦେଇ ପରିସ୍ଥିତିରେ ଉନ୍ନତି ଆଣିପାରିଛନ୍ତି, ମୁଖ୍ୟମନ୍ତ୍ରୀ ତା’ର ଉଚ୍ଚ ପ୍ରଶଂସା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରପଞ୍ଚମାନେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପରିସ୍ଥିତିକୁ ଦେଖି ବିଭିନ୍ନ ସ୍ଥାନରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ପରି କଡା ପଦକ୍ଷେପ ନେବା ସହିତ କୋଭିଡ୍ କେୟାର ହୋମ, କୋଭିଡ୍ ମ୍ୟାନେଜମେଣ୍ଟ ସେଣ୍ଟର, ଟେଷ୍ଟିଂ, ସର୍ଭେ ଆଦି ସବୁଥିରେ ସହଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋରୋନା ବିରୁଦ୍ଧରେ ଚାଲିଥିବା ଲଢେଇରେ ଗଞ୍ଜାମ ଜିଲ୍ଲା ଆଗରେ ରହିଛି । ଓଡିଶା ଫେରିଥିବା ଲକ୍ଷ ଲକ୍ଷ ଭାଇ ଭଉଣୀଙ୍କ ପାଇଁ ଠିକ୍ ସମୟରେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ କରିବା, ଲୋକଙ୍କୁ ସେବା ଯୋଗାଇବାରେ ସରପଞ୍ଚମାନଙ୍କ ଉଦ୍ୟମ ଓ ସହଯୋଗ ପ୍ରଶଂସନୀୟ ।
ସରପଞ୍ଚମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ଗଭୀର ବିଶ୍ବାସ ପ୍ରକଟ କରିବା ସହ ସେମାନଙ୍କୁ ଦିଆଯାଇଥିବା ଜିଲ୍ଲାପାଳ କ୍ଷମତା କୋରୋନା ନିୟନ୍ତ୍ରଣରେ ସଫଳ ଉପଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସେମାନଙ୍କ ନିଷ୍ଠା ଓ ପରିଶ୍ରମ ଯୋଗୁ ପଜିଟିଭ କେସ୍ କମିଛି, ଆରୋଗ୍ୟ ହାର ବଢୁଛି, ମୃତ୍ୟୁହାର କମୁଛି । ଆଗାମୀ ଦିନରେ ସରପଞ୍ଚମାନଙ୍କର ଭଲ କାମ କୋଭିଡ୍ ପରିଚାଳନାରେ ସାରା ଦେଶକୁ ବାଟ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସରପଞ୍ଚମାନଙ୍କର ଏହି ଭଲ କାମ ପାଇଁ ସେ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ବର୍ତ୍ତମାନ ପରିସ୍ଥିତିରେ ଯେଉଁ ଉନ୍ନତି ଆସିଛି ସେଥିରେ ସନ୍ତୁଷ୍ଟ ନ ହୋଇ କୋରୋନାକୁ ସମ୍ପୂର୍ଣ୍ଣ ନିପାତ ପର୍ଯ୍ୟନ୍ତ ଲଢେଇ ଜାରି ରଖିବାକୁ ଆହ୍ବାନ ଦେଇଛନ୍ତି ।
ସରପଞ୍ଚମାନଙ୍କୁ ସବୁ ପ୍ରକାର ସହଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପଞ୍ଚାୟତମାନଙ୍କୁ ସଶକ୍ତ କରିବାପାଇଁ ବିଜୁ ବାବୁଙ୍କ ଉଦ୍ୟମକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ବାବୁଙ୍କ ଆଦର୍ଶରେ ବର୍ତ୍ତମାନର ସରକାର ପଞ୍ଚାୟତକୁ ଅଧିକ କ୍ଷମତା ଦେଇଛନ୍ତି । ତେଣୁ ସରପଞ୍ଚମାନେ ସେମାନଙ୍କ ଭଲ କାମ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ସବୁବେଳେ ସେମାନଙ୍କ ଭଲ କାମରେ ସେ ସାଥିରେ ରହିବେ ବୋଲି କହିଥିଲେ । ଏହି ଆଲୋଚନାରେ ଭାଗ ନେଇ ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ ସରକାରଙ୍କର ସଠିକ୍ କୋଭିଡ୍ ପରିଚାଳନା ଯୋଗୁ ଗଞ୍ଜାମର ପରିସ୍ଥିତିରେ ଉନ୍ନତି ଆସିଛି ଏବଂ ଖୁବ୍ ଶୀଘ୍ର କୋରୋନା ଦୂର ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରେ ଯେଉଁ ଆସ୍ଥା ଓ ବିଶ୍ବାସ ପ୍ରକଟ କରିଥିଲେ ତାହା ଆଜି ସୁଫଳ ଦେଇଛି । ଏହା ସରପଞ୍ଚମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ମନୋବଳ ବୃଦ୍ଧି କରିଛି ବୋଲି ସେ କହିଛନ୍ତି । ଏହି ଅବସରରେ ସାନଖେମୁଣ୍ଡି, ହିଞ୍ଜିଳି ଓ ଭଞ୍ଜନଗର ବ୍ଲକ ଅଞ୍ଚଳର ସରପଞ୍ଚମାନେ କୋଭିଡ ପରିଚାଳନା ସମ୍ପର୍କରେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଭରସା ଓ ପ୍ରଶାସନର ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ । ଏହି ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍ କମିଶନର ଓ ବରିଷ୍ଠ ଅଧିକାରୀଙ୍କ ସହ ଗଞ୍ଜାମ ଜିଲ୍ଲାପାଳ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ