ବ୍ରହ୍ମପୁର: ରାଜ୍ୟର ଏକ ପ୍ରମୁଖ ଆମ୍ବ ବଜାର ହେଉଛି ରେଶମ ସହର ବ୍ରହ୍ମପୁର । ଏହି ସହର ଆମ୍ବ ବଜାରରେ ଗ୍ରାହକଙ୍କୁ ବିଭିନ୍ନ କିସମର ଆମ୍ବ ମିଳିଯାଏ । ହଜାର ହଜାର କିଲୋଗ୍ରାମ ଓଜନର ଆମ୍ବ ସାରା ରାଜ୍ୟ ସମେତ ପଡ଼ୋଶୀ ରାଜ୍ୟର ବିଭିନ୍ନ ବଜାରକୁ ରପ୍ତାନୀ ହେଉଥିବା ନଜିର ରହିଛି । ଏଣୁ ପ୍ରତେକ ବର୍ଷ ଖରା ଦିନେ ରାଜ୍ୟ ଓ ରାଜ୍ୟ ବାହାରୁ ଆଦାୟ ହେଉଥିବା ବିଭିନ୍ନ କିଶମର ଆମ୍ବକୁ ନେଇ ବ୍ରହ୍ମପୁରରେ ଖୋଲିଥାଏ ସ୍ବତନ୍ତ୍ର ବଜାର ।
ଫଳ ମାନଙ୍କ ମଧ୍ୟରେ ରାଜାର ମାନ୍ୟତା ପାଇଛି ଆମ୍ବ । ଏହି ସୁସ୍ବାଦୁ ଫଳକୁ ଦେଖିଲା ମାତ୍ର ସଭିଙ୍କ ମୁହଁକୁ ପାଣି ଆସିଯାଏ । ଏଭଳି ଆମ୍ବ ପ୍ରେମୀଙ୍କୁ ବ୍ରହ୍ମପୁରର ସ୍ବତନ୍ତ୍ର ଆମ୍ବ ବଜାରରେ ଦେଖିବାକୁ ମିଳିବ । ଏହି ବଜାରରେ ଆଖୁରସ ଆମ୍ୱ ଠାରୁ ଆରମ୍ଭ କରି ବାଇଗଣପଲ୍ଲୀ , ସୁନ୍ଦରୀ ,କଲମ୍ବି, ସୁବର୍ଣ୍ଣରେଖା ,ଅମୃତକଳସୀ , ଅମରାପଲ୍ଲୀ , ଗ୍ରୋସେରୀ ,ଆଲଫାନ୍ସ ,ଲେଙ୍ଗାଡା ଏବଂ କଲକ୍ଟର ଭଳି ଆମ୍ବ ଉପଲବ୍ଧ ।
ବ୍ରହ୍ମପୁର ସହରରେ ବହୁ ବର୍ଷ ଧରି ଆମ୍ବ ବ୍ୟବସାୟ ହୋଇ ଆସୁଛି । ପୂର୍ବରୁ ପୁରୁଣା ବସଷ୍ଟାଣ୍ଟ ନିକଟସ୍ଥ ଚର୍ଚ୍ଚ ପଡ଼ିଆରେ ଏହି ବ୍ୟବସାୟ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ଅନ୍ଧପସରା ରୋଡରେ ଏହି ବଜାର ଆରମ୍ଭ ହୋଇଛି । ଏହି ସ୍ବତନ୍ତ୍ର ଆମ୍ବବଜାର ପ୍ରତ୍ୟେକ ସିଜିନରେ ଚାରି ମାସରୁ ଉର୍ଦ୍ଧ ସମୟ ଧରି ଜମିଥାଏ ବ୍ୟବସାୟ ।
ପ୍ରାୟ 25 ପ୍ରକାର ଆମ୍ବକୁ ନେଇ ଚାଲିଥାଏ ଏହି ବ୍ରହ୍ମପୁର ସ୍ବତନ୍ତ୍ର ଆମ୍ବ ବ୍ୟବସାୟ । ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ବହୁ ଆମ୍ବଚାଷୀ ନିଜର ଆଦାୟ ଆମ୍ବକୁ ଏହି ବଜାରକୁ ଆଣି ବିକ୍ରି କରିଥାନ୍ତି । ଏହି ବଜାରରୁ ଆମ ରାଜ୍ୟ ସମେତ ପୋଡଶୀ ରାଜ୍ୟ ଗୁଡିକୁ ଆମ୍ବ ରପ୍ତାନୀ ହୁଏ । ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ବ୍ୟବସାୟ ସେତେଟା ଭଲ ହୋନାହିଁ । ୨୦ ରୁ ୩୦ ଟଙ୍କା ମଧ୍ୟରେ ଗ୍ରାହକ ଆମ୍ବ ପାଇ ପାରିଥିଲେ ।
ବ୍ରହ୍ମପୁରର ସ୍ବତନ୍ତ୍ର ଆମ୍ବ ମାର୍କେଟରୁ ମୁଖ୍ୟତଃ ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ ଉତ୍ତର ପ୍ରଦେଶ ବଜାରକୁ ଆମ୍ବ ରପ୍ତାନୀ ହୁଏ । ଏହି ବଜାରରେ ରହିଛି ୮୦ଟି ଷ୍ଟଲ । ପାଞ୍ଚରୁ ଦଶ କିଲୋ ପ୍ରତି ଦର କିଶମ ଅନୁଯାୟୀ ୧୨୦ ଟଙ୍କାରୁ ୨୫୦ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । ଗ୍ରାହକମାନେ ସୁଲଭ ଦରରେ ନିଜ ମନ ପସନ୍ଦର ଆମ୍ବ କିଣି ନେଉଥିବା ଦେଖା ଦେଇଛି । ତେବେ କୋରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଆମ୍ବ ବ୍ୟବସାୟ ପ୍ରଭାବିତ ହୋଇଛି ବୋଲି କହିଛନ୍ତି ବ୍ୟବସାୟୀ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ