ବ୍ରହ୍ମପୁର: ମନରେ ରହିଥିଲା ଅନେକ ଆଶା ଓ ନିଜେ ରଖିଥିଲେ ଦୃଢ ପ୍ରତିଜ୍ଞା । ଭଲ ପାଠ ପଢି ଭବିଷ୍ୟତରେ ଆଇଆଇଟି ଭଳି ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ଦେଖିଥିଲେ ସ୍ୱପ୍ନ । ହେଲେ ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ କିଭଳି ଲକ୍ଷ୍ୟ ପୂରଣ କରିପାରିବେ ସେନେଇ ସଦାସର୍ବଦା ଚିନ୍ତାରେ ରହୁଥିଲେ । ମାତ୍ର ପରିଶ୍ରମ ଓ ସାଧନା ବଳରେ ସମ୍ଭବ କରି ଦେଖାଇଛନ୍ତି ବ୍ରହ୍ମପୁର ସହରର ଜଣେ ମେଧାବୀ ଛାତ୍ର ପି. ମନୋଜ କୁମାର ।
ମନୋଜଙ୍କ ବାପା ଇଲେକ୍ଟ୍ରିକାଲ ମେକାନିକ୍ ଭାବେ କାମକରନ୍ତି । ଘର ବାଡି କହିଲେ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ବାସ୍ । ପିଲାଟି ବେଳୁ ବିଜ୍ଞାନ ପ୍ରତି ବେଶ୍ ଆଗ୍ରହୀ ଥିଲେ ମନୋଜ । ଅନେକ ଘାତ ପ୍ରତିଘାତ ମଧ୍ୟରେ ଯୁକ୍ତ ଦୁଇ ପଢା ଶେଷ କରିବା ପରେ ଘରକୁ ଘର ବୁଲି ଟ୍ୟୁସନ କରନ୍ତି । ଏଥିରୁ କିଛି ନିଜ ପଢାରେ ତ ଆଉ କିଛି ଘର ଖର୍ଚ୍ଚରେ ବିନିଯୋଗ କରନ୍ତି । ଏସବୁ ସମସ୍ୟା ବାବଦରେ ଜାଣି ଆର୍ଯ୍ୟଭଟ୍ଟ କୋଚିଂ ସେଣ୍ଟର ତାଙ୍କୁ ମାଗଣାରେ ପଢାଇବା ପାଇଁ ରାଜିହୁଏ । ଆଉ ଏହାପରଠୁ ପଛକୁ ଚାହିଁନାହାନ୍ତି ସେ ।
ଦିନରାତି ପରିଶ୍ରମ କରି JEE ପରୀକ୍ଷାରେ ୩ ହଜାର ୮୯୯ ରାଙ୍କରେ ସ୍ଥାନ ପାଇବା ସହ Economical Weaker Section ରେ ୩୬୭ ରାଙ୍କ ପାଇଛନ୍ତି । ଯାହାକି ଦେଶର ସମସ୍ତ ପ୍ରମୁଖ ଆଇଆଇଟି ଶିକ୍ଷାନୁଷ୍ଠାନରେ ପାଠ ପଢିବାକୁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି । ତେବେ ଆଇଆଇଟି ନାମଲେଖା ପାଇଁ ଅର୍ଥ ବାଧକ ସାଜିଥିଲା । ଏଭଳି ସମୟରେ ମନୋଜଙ୍କ ନାମଲେଖା ପାଇଁ ଆର୍ଥିକ ସହାୟତାର ହାତ ବଢାଇଛନ୍ତି ବ୍ରହ୍ମପୁରର ବିଧାୟକ ବିକ୍ରମ କୁମାର ପଣ୍ଡା ଏବଂ ଗଞ୍ଜାମ ସାଂସଦ ଚନ୍ଦ୍ରଶେଖର ସାହୁ ।
ଉଚ୍ଚଶିକ୍ଷା ପାଇଁ ନିଜର ସ୍ୱପ୍ନ ପୂରଣ କରିବା ପାଇଁ ଜଣେ ବିଦ୍ୟାର୍ଥୀ ନିଜର ଅଧ୍ୟୟନ ସହିତ କଠୋର ପରିଶ୍ରମ ଓ ଏକାଗ୍ରତା ହିଁ ଲକ୍ଷ୍ୟସ୍ଥଳକୁ ପହଞ୍ଚାଇବାରେ ସହାୟକ ହୋଇଥାଏ, ଯାହା ବ୍ରହ୍ମପୁରର ମନୋଜଙ୍କ କ୍ଷେତ୍ରରେ ଏକ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ