ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ସୁବିଧାରୁ ବଞ୍ଚିତ ହୋଇଥିବାରୁ ନୂତନ ମେୟରଙ୍କୁ ସାକ୍ଷାତ କଲେ ସହରତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି । ରାଜ୍ୟ ସରକାର ୨୦୦୮ ମସିହାରେ ବ୍ରହ୍ମପୁର ପୌର ପରିଷଦକୁ ମହାନଗର ନିଗମରେ ପରିଣତ କରିବା ପରେ ସହର ସନ୍ନିକଟ ଏବଂ ପାର୍ଶ୍ଵବର୍ତ୍ତୀ ୧୮ ଟି ପଞ୍ଚାୟତକୁ ଏଥିରେ ସାମିଲ କରାଇବା ନେଇ ଘୋଷଣା କରିଥିଲେ । ଏଥିସହ ବୃହତ୍ତର ମହାନଗର ନିଗମ ଗଠନ କରାଯିବା ନେଇ ଘୋଷଣା କରିଥିଲେ ।
କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସରକାର ମୁନିସିପାଲିଟିର ନାମ ପରିବର୍ତ୍ତନ କରି ମହାନଗର ନିଗମ ଗଠନ ଘୋଷଣା କରିଦେଇଥିଲେ। ଫଳରେ ବ୍ରହ୍ମପୁର ଓ ସହର ତଳି ବାସିନ୍ଦାଙ୍କ ପ୍ରତି କେବଳ ରାଜନୈତିକ ଅଣଦେଖା, ଅବହେଳା ଓ ଅନ୍ୟାୟ କରାଗଲା ତାହା ନୁହେଁ ବରଂ ସମଗ୍ର ମହାନଗର ଅଧିବାସୀ ପ୍ରତାରଣାର ଶିକାର ହେଲେ । ଫଳରେ ସହରତଳି ଅଞ୍ଚଳ ଜନସାଧାରଣଙ୍କ ମହାନଗର ନିଗମରେ ସାମିଲ ହୋଇ ସର୍ବନିମ୍ନ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଲେ। ସରକାରଙ୍କ ଏହି ଅବିଚାର ଏବଂ ବୈମାତୃକ ମନୋଭାବ ବିରୁଦ୍ଧରେ ସହରତଳି ବାସିନ୍ଦା ଦୀର୍ଘ ତେର ବର୍ଷ ହେଲା ସରକାରଙ୍କ ଉଦାସୀନତା ଭାଙ୍ଗିବାକୁ ନିଜ ପ୍ରଚେଷ୍ଟା ଏବଂ ଲଢେଇ ଜାରି ରଖିଛନ୍ତି ।
ସାଂସଦ, ବିଧାୟକ ,ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏଦାବି ନେଇ ଅବଗତ କରାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା । ବ୍ରହ୍ମପୁର ମହାନଗର ନିଗମର ଭୌଗଳିକ ପରିସୀମା ମାତ୍ର ୭୮ ବର୍ଗ କିଲୋମିଟର ବ୍ୟାସାର୍ଦ୍ଧରେ ସୀମିତ । ଯେତେବେଳେ କି ରାଜ୍ୟର ଅନ୍ୟ କୌଣସି ମହାନଗର ନିଗମ ଦୁଇ ଶହ ବର୍ଗ କିଲୋମିଟର ବ୍ୟାସାର୍ଦ୍ଧ ପରିସୀମାରୁ କମ୍ ନୁହଁ। ରାଜ୍ୟ ସରକାର ଅନ୍ୟ ମହାନଗର ନିଗମ ଗଠନ ବେଳେ ୧୫ ରୁ ୨୦ କିଲୋମିଟର ଦୂରରେ ଥିବା ଅଞ୍ଚଳ ଏବଂ ଜନସାଧାରଣଙ୍କୁ ସାମିଲ କରିଥିବା ବେଳେ ବ୍ରହ୍ମପୁର ମହାନଗର ନିଗମରେ ଇଞ୍ଚେବି ନୂଆଁ ଜାଗା ସାମିଲ କରାଯାଇନାହିଁ । ଯାହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ।
ସେହିଭଳି ଯଦି ଭୋଟର ସଂଖ୍ୟା ଦୃଷ୍ଟିରୁ ଦେଖାଯାଏ ତାହାହେଲେ ରାଜ୍ୟର ସବୁ ମହାନଗର ନିଗମରେ ଭୋଟର ସଂଖ୍ୟା ୫ ଲକ୍ଷରୁ ଉର୍ଦ୍ଧ ଥିବା ବେଳେ ବ୍ରହ୍ମପୁର ମହାନଗର ନିଗମର ଭୋଟର ସଂଖ୍ୟା ମାତ୍ର ୨ ଲକ୍ଷ ୫୫ ହଜାର । ସେଭଳି ପରିସୀମା ଏବଂ ଲୋକ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ମହାନଗର ନିଗମର ୱାର୍ଡ ଗୁଡିକ ଅତି ଛୋଟ କାରଣ ନୂଆଁ ଲୋକ ଏବଂ ଅଞ୍ଚଳ ନମିଶିବା ଫଳରେ ଥିବା ୱାର୍ଡ ଗୁଡ଼ିକୁ ଭାଗ ଭାଗ କରି ୱାର୍ଡ ବଢେଇ ଦେଖେଇବାର ଯେଉଁ ଚଞ୍ଚକତା ପୂର୍ଣ୍ଣ କାର୍ଯ୍ୟ କରାଯାଉଛି । ଗୋଟେ ସର୍ବ ପୁରାତନ ପୌର ପରିଷଦର ଏଭଳି ଅବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କ୍ରିୟାନୁଷ୍ଠାନ କମିଟି । ଏପରିକି ମୁନିସିପାଲ କର୍ପୋରେସନ ଆକ୍ଟ ଧାରା ତିନି ଅନୁସାରେ ଯଦି କୌଣସି ଅଞ୍ଚଳର ଏକ ତୃତୀୟାଂଶ ଜମି ଚାଷ କାର୍ଯ୍ୟରେ ବ୍ୟବହୃତ ହେଉନଥିବ ଏବଂ ସେଠାକାର ବାସିନ୍ଦା କୃଷି ଉପରେ ନିର୍ଭରଶିଳ ନଥିବେ ତେବେ ସେହି ଅଞ୍ଚଳ ସବୁ ସ୍ୱୟଂ ସିଦ୍ଧ ଭାବରେ ବୃହତ୍ତର ସହରାଞ୍ଚଳ ରୂପେ ପରିଗଣିତ ହେବ ଏବଂ ଧରାଯିବ । ସେହି ଦୃଷ୍ଟିକୁ ଆପଣେଇଲେ ମଧ୍ୟ ଏହି ସବୁ ଅଞ୍ଚଳ ମହାନଗର ଅଞ୍ଚଳରେ ମିଶିବାର ଯୋଗ୍ୟତା କେବେଠାରୁ ହାସଲ କରିସାରିଛି, ତଥାପି ଅବହେଳା ହୋଇରହିଛି ।
ସେହିଭଳି ସନ୍ନିକଟ ସବୁ ତଳି ଅଞ୍ଚଳ ଗୁଡିକ ସହରର ଅତି ନିକଟରେ ଥିଲେ ମଧ୍ୟ ଥାନା,ବ୍ଲକ , ଫାୟାର ଷ୍ଟେସନ ଓ ତହସିଲ ଦୂରରେ ରହିଛି । ଯାହାଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସହର ସନ୍ନିକଟରେ ଏହି ସବୁ ସହର ତଳି ଅଞ୍ଚଳ ରହିଥିବା ଯୋଗୁଁ ଏଗୁଡ଼ିକ ପଞ୍ଚାୟତ ତଥା ବ୍ଲକ ଦୃଷ୍ଟି ଆଢ଼ୁଆଳରେ ରହି ରାସ୍ତା ଘାଟ ଠାରୁ ଆରମ୍ଭକରି , ପାନୀୟ ଜଳ, ଷ୍ଟ୍ରିଟ ଲାଇଟ, ଡ୍ରେନ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପରିମଳ ଜନିତ ଅବ୍ୟବସ୍ଥାରେ ଜର୍ଜରିତ ହେଉଛନ୍ତି । ସରକାରଙ୍କ ୨୦୦୮ ଘୋଷଣା ନାମା ଅନୁଯାୟୀ ଯଦି ସହର ତଳି ଅଞ୍ଚଳ ଓ ପାର୍ଶ୍ଵବର୍ତ୍ତୀ ୧୮ ଟି ପଞ୍ଚାୟତକୁ ନେଇ ବ୍ରହ୍ମପୁର ମହାନଗର ନିଗମ ଗଠନ କରିଥାନ୍ତେ ତାହାହେଲେ କେନ୍ଦ୍ର ସରକାରଙ୍କ ଠାରୁ ପ୍ରଚୁର ଅନୁଦାନ ଆସିପାରିଥାନ୍ତା । ତତ୍ ସହିତ ଅନେକ ବିକାଶ ମୂଳକ ଏବଂ ଭିତ୍ତିଭୂମି ଜନିତ ମେଗା ପ୍ରକଳ୍ପ ହାତକୁ ନିଆଯାଇପାରି ଥାନ୍ତା। ଯାହାର ସୁଫଳ ଉଭୟ ମହାନଗର ବାସିନ୍ଦା ତଥା ସହର ତଳି ବାସିନ୍ଦା ପାଇପାରିଥାନ୍ତେ। ଉନ୍ନୟନ ମୂଳକ କାମ ପାଇଁ ଅର୍ଥର କୌଣସି ଅଭାବ ରହନ୍ତା ନାହିଁ। ଲୋକଙ୍କୁ ରୋଜଗାର ଯୋଗାଇ ଦିଆଯାଇପାରିବ । ଏହାର ପରିସୀମା ନବଢିବା ଫଳରେ ବର୍ତ୍ତମାନ ଅନୁଦାନ କାଣ୍ଟ ଛାଣ୍ଟ ହୋଇ ଆସୁଛି।
ସହର ତଳି ଅଞ୍ଚଳ ମହାନଗର ନିଗମରେ ସାମିଲ ହେଲେ ବ୍ରହ୍ମପୁରରେ କମିଶନରେଟ ପୋଲିସ, ଆନ୍ତର୍ଜାତୀୟ ବିମାନ ବନ୍ଦର, ଶିଳ୍ପ କରିଡ଼ର, ମଲ୍ଟି ସୁପର ସ୍ପେସିଆଲିଟ ହସ୍ପିଟାଲ, ସଡ଼କ ଓ ରେଳ ପଥର ବିକାଶ ଏବଂ ପର୍ଯ୍ୟଟନର ଅଭିବୃଦ୍ଧି ପ୍ରକଳ୍ପ କାମର ପଥ ସୁଗମ ହେବ। କେନ୍ଦ୍ର ସରକାରଙ୍କ ସହଯୋଗରେ ଏବଂ OFPO ( ଅଣ କୃଷି ଉତ୍ପାଦକ ସଂଗଠନ ) ଗଠନ ମାଧ୍ୟମରେ ବ୍ରହ୍ମପୁର ପାଟ ବସ୍ତ୍ରର ଅଭିବୃଦ୍ଧି, ବିକାଶ ଓ ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇପାରିବ । ସମସ୍ତ ବୁଣାକାର ମାନଙ୍କୁ ରୋଜଗାର ସହ ବିଶ୍ଵ ବଜାର କେନ୍ଦ୍ରିକ ଚାହିଦା ସୃଷ୍ଟି କରା ଯାଇପାରିବ । ଏଥି ସହ ପ୍ରତି ୱାର୍ଡରେ ସହଭାଗିତା ଡେସ୍କ ଖୋଲାଯାଇ ୱାର୍ଡର ସମସ୍ୟା ୱାର୍ଡରେ ହିଁ ସମାଧାନ କରାଯିବା ବ୍ୟବସ୍ଥା ନିର୍ମାଣ କରାଯାଇ ପାରିବ ବୋଲି କୁହାଯାଇଛି।
ଲୋକଙ୍କୁ ସାମାନ୍ୟ କାମରେ ନିଗମ କାର୍ଯ୍ୟାଳୟ ଦୌଡ଼ିବାରୁ ନିବୃତ୍ତ କରେଇବା । ଏକ ନିର୍ମଳ ଓ କ୍ରୀୟାଭିମୁଖି ନିଗମ ପ୍ରଶାସନ ଯୋଗାଇଦେବା ପାଇଁ ପଦକ୍ଷେପ ନିଆଯିବ। ମହାନଗର ନିଗମ ଅଞ୍ଚଳ ଯଥା ଗେଟ ବଜାର , ହରିଡ଼ାଖଣ୍ଡି ଓ ହଲଦିଆପଦର ଠାରେ ଓଭର ବ୍ରିଜ ନିର୍ମାଣ କରିବା ଇତ୍ୟାଦି ଦାବୀ ଏବଂ ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ତ୍ୱରିତ ପଦକ୍ଷେପ ନେବାକୁ ଦାବି କରିବା ସହ ଗାନ୍ଧୀନଗର ଠାରେ ଏକ ହାଇଟେକ୍ ଭେଲୀ ସ୍ଥାପନ କରାଯିବା ସଂପର୍କରେ ଆଲୋଚନା କରାଯାଇଛି। ବୃହତ୍ତର ସାମୁହିକ ସ୍ୱାର୍ଥକୁ ଧ୍ୟାନରେ ରଖି ଆନ୍ତରିକ ପଦକ୍ଷେପ ନେବାକୁ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଠିକ ଓ ସକରାତ୍ମକ ପଦକ୍ଷେପ ନେଇ ବ୍ରହ୍ମପୁର ମହାନଗର ନିଗମକୁ ଏକ ପୂର୍ଣ୍ଣାଙ୍ଗ,ବୃହତ୍ତର ଓ ମର୍ଯ୍ୟାଦାଜନକ ମହାନଗର ନିଗମରେ ପରିଣତ କରିବାକୁ ଦାବି କରାଯାଇଛି।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ