ବ୍ରହ୍ମପୁର: ବିଗତ ଦୁଇ ବର୍ଷ ଧରି କୋଭିଡ୍ କଟକଣା ଯୋଗୁଁ ରଥଯାତ୍ରା ଆୟୋଜିତ ହୋଇପାରିନଥିବା ଯୋଗୁଁ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ସର୍ବ ସାଧାରଣ ବ୍ୟାକୁଳ ରହିଥିଲେ । ହେଲେ ଚଳିତ ରଥଯାତ୍ରାକୁ ନିଶ୍ଚିତ ରୂପେ ସର୍ବ ସାଧାରଣ ବହୁ ସଂଖ୍ୟାରେ ଯୋଗ ଦେବେ ବୋଲି ଆକଳନ କରାଯାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆଶୁ ପଦକ୍ଷେପ ସ୍ବରୂପ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୁଧବାର ଜିଲ୍ଲାପାଳଙ୍କ ସଭାକକ୍ଷ ପରିସରରେ ଆୟୋଜିତ ବୈଠକରେ ଗୋଟିଏ ଦିନ ପରେ ଚଳିତ ବର୍ଷର ରଥଯାତ୍ରା ଆଡମ୍ବର ସହକାରେ ପାଳନ ହେବାକୁ ଯାଉଛି । ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଥିବା ଯୋଗୁଁ ସମସ୍ତ ପ୍ରକାର ସତର୍କତା ପ୍ରଶାସନ ପକ୍ଷରୁ ନେବା ଆବଶ୍ୟକତା ଉପରେ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ । ଜନସାଧାରଣଙ୍କୁ ଜିଲ୍ଲାପାଳ ଜଣାଇଛନ୍ତି ଯେ, ସମସ୍ତେ ଶାନ୍ତି ଶୃଙ୍ଖଳାର ସହିତ ରଥଯାତ୍ରାରେ ଯୋଗ ଦେବା ସହ କେତେ ଗୋଟି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଜଣାଇଛନ୍ତି । ପ୍ରଥମତଃ ସମସ୍ତେ ମାସ୍କର ବ୍ୟବହାର କରନ୍ତୁ, ବିଶେଷକରି ଯେଉଁ ମାନଙ୍କୁ ଥଣ୍ଡା କିମ୍ବା କାଶ ଲକ୍ଷଣ ରହୁଛି ସେମାନେ ଏବଂ ବୟସ୍କ ବ୍ୟକ୍ତି ଜନ ଗହଳିକୁ ଆସନ୍ତୁ ନାହିଁ ।
ମାସ୍କ ବ୍ୟବହାର କରି ଦୂରତା ବଜାୟ ରଖି ରଥଯାତ୍ରା ଦେଖିବାକୁ ଆସନ୍ତୁ । ରଥର ଚାରିପାର୍ଶ୍ବ କର୍ଡନ୍ ହେବ । କର୍ଡନ୍ ଭିତରକୁ କେହି ଯେପରି ପ୍ରବେଶ କରିବେ ନାହିଁ ସେଥିପ୍ରତି ଦୃଷ୍ଟି ଦିଆଯିବ । ସଂପୃକ୍ତ ଅଧିକାରୀ ଗଣ ରଥଯାତ୍ରା ପାଳନ କମିଟି ସହ ବୈଠକ କରି ସମସ୍ତ ବ୍ୟବସ୍ଥା ଯେପରି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେଥିପ୍ରତି ଧ୍ୟାନ ଦେବେ । ଆଇନ୍ ଶୃଙ୍ଖଳା ପରିସ୍ଥିତି ଏବଂ ଟ୍ରାଫିକ୍ ବ୍ୟବସ୍ଥାର ଆଶୁ ବ୍ୟବସ୍ଥା ଦିଗରେ ଉଭୟ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ ଏବଂ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡଃ ଶ୍ରବଣ ବିବେକ ଏନ୍ ଜଣାଇଥିଲେ ।
ଆଇନ ଶୃଙ୍ଖଳା ପରିସ୍ଥିତି, ପାନୀୟ ଜଳ ଯୋଗାଣ, ଜନଗହଳି ହେବା ଦ୍ବାରା ଗୁଳୁଗୁଳିରୁ ରକ୍ଷା ନିମନ୍ତେ ଜଳ ସିଞ୍ଚନ ବ୍ୟବସ୍ଥା, ମାଜିଷ୍ଟ୍ରେଟ ଓ ପୋଲିସ୍ ନିଯୁକ୍ତ ଟ୍ରାଫିକ୍ ବ୍ୟବସ୍ଥା, ରଥଟଣା ବେଳେ ସମ୍ଭାବ୍ୟ ଦୁର୍ଘଟଣାକୁ ରୋକିବା ନେଇ କର୍ଡନ୍ ବ୍ୟବସ୍ଥା, ରଥଯିବା ପଥରେ ବିଦ୍ୟୁତ୍ ତାର ଉଠାଇବା ଓ ସଂଯୋଗ ବ୍ୟବସ୍ଥା, ସ୍ବାସ୍ଥ୍ୟର ଯତ୍ନ ଓ ଆମ୍ବୁଲାନ୍ସ ଯୋଗାଣ, କୋଠାବାଡି ବିଭାଗ ଦ୍ବାରା ରଥ ଠିକ୍ ଥିବା ଯାଞ୍ଚ କରି ପ୍ରମାଣ ପତ୍ର ଦାଖଲ ଇତ୍ୟାଦି ସମସ୍ତ ବ୍ୟବସ୍ଥା ନେଇ ଆଲୋଚନା ହୋଇଛି ।
ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କିର୍ତ୍ତି ଓ୍ବାସନ୍ ଭି, ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଲୀନା କୁମାରୀ ଖେସ୍, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସଚିଦାନନ୍ଦ ନାୟକ ଓ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ ।
ଇଟିଭି ଭାରତ,ବ୍ରହ୍ମପୁର