ବ୍ରହ୍ମପୁର: ସରିଛି ପୌର ନିର୍ବାଚନ ଏବଂ ଘୋଷଣା ହୋଇଛି ବିଜୟୀ ପ୍ରାର୍ଥୀଙ୍କ ନାମ । ତଥାପି ମଧ୍ୟ ଥମୁନି ରାଜନୈତିକ ହିଂସା । ନିର୍ବାଚନୀ ପରବର୍ତ୍ତୀ ହିଂସାରେ ଜଳୁଛି ଗଞ୍ଜାମ । ବ୍ରହ୍ମପୁର ସହରର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ବ୍ରିଟ କଲୋନୀରେ ଦେଖିବାକୁ ମିଳିଛି ନିର୍ବାଚନ ପରବର୍ତ୍ତୀ ହିଂସା । ନିର୍ବାଚନରେ ପରାଜୟ ହୋଇଥିବା କର୍ପୋରେଟର ପ୍ରାର୍ଥୀଙ୍କ ଘର ଉପରକୁ ଆକ୍ରମଣ କରିବା ସହ ବାଇକ ଭାଙ୍ଗି ଚୁରମାର କରିଦେଇଛନ୍ତି ଦୁର୍ବୃତ୍ତ ।
ସୂଚନାନୁସାରେ, ସହରର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ବ୍ରିଟ କଲୋନୀର ଷ୍ଟେଜ ୨ରେ ଏଲଆଇଜି ୯୪ ରେ ଗତକାଲି(ଶନିବାର) ମଧ୍ୟରାତ୍ରିରେ ଦେଖିବାକୁ ମିଳିଛି ନିର୍ବାଚନୀ ପରବର୍ତ୍ତୀ ହିଂସା । ବିରେନ୍ ପଟ୍ଟନାୟକ ୧୨ ନମ୍ବର ୱାର୍ଡର ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିଲେ । ତାଙ୍କ ପତ୍ନୀ ସସ୍ମିତା ଦାସ ୧୪ ନମ୍ବର ୱାର୍ଡର ବିଜେପି କର୍ପୋରେଟର ପ୍ରାର୍ଥୀ ହୋଇଥିଲେ । ଉଭୟେ ଗତକାଲି ନିର୍ବାଚନରେ ପରାଜିତ ହୋଇଥିଲେ। ସେମାନେ ଗତକାଲି ରାତିରେ ଶୋଇଥିବାବେଳେ ସେମାନଙ୍କ ଘର ଆଗରେ ଆତଙ୍କରାଜ ଚଳାଇଥିଲେ ଦୁର୍ବୃତ୍ତ।
ଏହା ମଧ୍ୟ ପଢନ୍ତୁ: Post Poll Violence: ଚିକିଟିରେ ବିଜେପି ପ୍ରାର୍ଥୀଙ୍କ ଘରକୁ ପଥର ମାଡ, ଗାଡି ବି ଭାଙ୍ଗିଲେ
ଏକ କାରରେ ଛଅରୁ ଉର୍ଦ୍ଧ୍ବ ଦୁର୍ବୃତ୍ତ ଆସି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ଓ ଘର ଉପରକୁ ଟେକା ପଥର ଫୋପାଡି ଥିଲେ । ଏହାସହ ବିରେନ୍ଙ୍କ ଘର ଦାଣ୍ଡରେ ଥିବା ବାଇକକୁ ଦୁର୍ବୃତ୍ତମାନେ ପିଟି ଭାଙ୍ଗି ଦେଇଥିଲେ । ବିରେନ ନିଜ ମୋବାଇଲରେ ଏହି ସବୁ ଦୃଶ୍ୟର ଭିଡିଓ ଉତ୍ତୋଳନ କରିଥିଲେ। ଦୁର୍ବୃତ୍ତମାନଙ୍କର ଏଭଳି ଆତଙ୍କରାଜ ପରେ ନିଜ ପରିବାର ଜୀବନ ପ୍ରତି ବିପଦ ରହିଥିବା ନେଇ ସୁରକ୍ଷା ପାଇଁ ନିବେଦନ କରିଛନ୍ତି ବିରେନ୍ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ