ବ୍ରହ୍ମପୁର: ଶୁଭାରମ୍ଭ ହେଲା ପୋଷ୍ଟ କୋଭିଡ୍ କେୟାର ସେଣ୍ଟର । କୋଭିଡ ପରିଚାଳନା କ୍ଷେତ୍ରରେ ଗୋଷ୍ଠୀଗତ ସହଯୋଗିତା ଉପରେ ଅଧିକ ଗୁରୁତ୍ବ ଦିଆଯାଉଥିବା ବେଳେ ଏଭଳି ସମୟରେ ବ୍ରହ୍ମପୁର ସହରରେ ରୋଟାରୀ କ୍ଲବ ଏବଂ ଗଞ୍ଜାମ ଚାମ୍ବର ଅଫ୍ କର୍ମସ ଏବଂ ବ୍ରହ୍ମପୁର ମହାନଗର ନିଗମର ସହଯୋଗିତାରେ ଶୁଭାରମ୍ଭ କରାଯାଇଛି ଜିଲ୍ଲାର ପ୍ରଥମ ପୋଷ୍ଟ କୋଭିଡ୍ କେୟାର ସେଣ୍ଟର ।
ବ୍ରହ୍ମପୁର ସହରର ପ୍ରେମନଗର ସ୍ଥିତ ରୋଟାରୀ କ୍ଲବ ପରିସରରେ ଏହାକୁ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଏହାର ଶୁଭାରମ୍ଭ କରିଥିଲେ । ଅନ୍ୟତମ ଅତିଥି ରୂପେ ବ୍ରହ୍ମପୁରର ବିଧାୟକ ବିକ୍ରମ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଉପଜିଲ୍ଲାପାଳ ଭି.କୀର୍ତ୍ତି ୱାସନ୍, ମହାନଗର ନିଗମର କମିଶନର ସିଦ୍ଧେଶ୍ବର ବଳୀରାମ ବନ୍ଦୋର ପ୍ରମୁଖ ମଞ୍ଚାସୀନ ରହିଥିଲେ । କୋଭିଡ ଚିକିତ୍ସା ପରେ ଫେରୁଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ଯେଉଁମାନଙ୍କୁ ଅକ୍ସିଜେନ୍ ଠାରୁ ଆରମ୍ଭ କରି ବିଭିନ୍ନ ଡାକ୍ତରୀ ପରାମର୍ଶ ଆବଶ୍ୟକତା ରହିଛି, ସେମାନଙ୍କୁ ଏହି କେନ୍ଦ୍ର ମାଧ୍ୟମରେ ସେବା ଯୋଗାଇ ଦିଆଯିବ । ଏହା ସହିତ ଏଠାରେ ପୋଷ୍ଟ କୋଭିଡରେ କିପରି ଯୋଗାସନ କିରିବେ, କିପରି ସୁସ୍ଥ ରହିବେ ଏବଂ କେଉଁ ଭଳି ଖାଦ୍ୟ ଖାଇବେ, ତାହାକୁ ନେଇ ପରାମର୍ଶ ପ୍ରଦାନ କରାଯିବ ।
ରୋଟାରୀ କ୍ଲବ ଏବଂ ଚାମ୍ବର ଅପ୍ କମର୍ସର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ରୋଟାରୀର ସଭାପତି ଟି . ପାର୍ଥ ସାରଥୀ, ସମ୍ପାଦକ ତରୁଣ, ଜାମୁଲା ସୁରେଶ, ବି.ସନ୍ତୋଷ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟତଃ ଏହି କେନ୍ଦ୍ରରେ ୨୦ଟି ଶଯ୍ୟା ସହିତ ଅକ୍ସିଜେନ୍ ବ୍ୟବସ୍ଥା ରହିଛି । ତେବେ ଏଠାରେ ଲାପଟପ୍ ମାଧ୍ୟମରେ ଭିଡ଼ିଓ କନଫରେନ୍ସ ଜରିଆରେ ବିଭିନ୍ନ ବିଭାଗର ଡାକ୍ତରଙ୍କ ସହ ଯୋଗାଯୋଗ କରିବାର ବ୍ୟବସ୍ଥା ମଧ୍ୟ ରହିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ