ବ୍ରହ୍ମପୁର: କଳା ବଞ୍ଚାଏ କଳାକାରକୁ, କଳାକାର ବି ବଞ୍ଚାଏ କଳାକୁ । ଏ ଦୁଇଜଣଙ୍କ ସମ୍ପର୍କ ଭାରି ନିବିଡ । ଦୁହେଁ ଜିଇଁରହନ୍ତି ଦୁହିଁଙ୍କ ଭିତରେ । ଆଧୁନିକତାର ବାତାବରଣ ଚାହିଁଲେ ବି ଭାଙ୍ଗିପାରେନା ତାଙ୍କ ସମ୍ପର୍କକୁ । ଏପରି ପଟ୍ଟଚିତ୍ର କଳାକୁ ବଞ୍ଚାଇ ରଖିଥିବା ଜଣେ ନିଆରା ପଟ୍ଟଚିତ୍ର ଶିଳ୍ପୀ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଶଙ୍କର ସାହୁ ।
ଜଣାଯାଏ ଯେ, ପୂର୍ବରୁ ଯେଉଁ ସମୟରେ ଫୋଟ ଚିତ୍ରର କୌଣସି ବ୍ୟବସ୍ଥା ନଥିଲା ସେହି ସମୟରେ ପ୍ରମୁଖ ପର୍ଯ୍ୟଟନ ବା ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଶିଳ୍ପୀମାନେ ପଟିରେ ଚିତ୍ର ଅଙ୍କନ କରି ଦେଉଥିଲେ । ଯାହାକୁ ନେଇ ଅନ୍ୟମାନେ ସେହି ସ୍ଥାନ ସମ୍ପର୍କରେ ଜାଣିପାରୁଥିଲେ, ଆଉ ସେହି ପଟିରେ ଚିତ୍ର ଅଙ୍କନ ପରମ୍ପରାକୁ ପଟ୍ଟଚିତ୍ର କଳା ନାମରେ ଜଣାଯାଉଥିଲା । ବର୍ତ୍ତମାନର ଆଧୁନିକ ଯୁଗରେ ଆଜି ବି ସେହି କଳାକୁ ବଞ୍ଚାଇ ରଖିଛନ୍ତି ବ୍ରହ୍ମପୁର ଲୋଚାପଡ଼ା ଅଞ୍ଚଳର ଶଙ୍କର ସାହୁ । ପଟ୍ଟଚିତ୍ର କଳା ଭଳି ପାରମ୍ପରିକ କଳାକୁ ନିଜେ ଆପଣାଇବା ସହ ତୁଳୀ ଓ ରଙ୍ଗ ମାଧ୍ୟମରେ ଆଙ୍କୁଥିବା ସୁନ୍ଦର ସୁନ୍ଦର ଚିତ୍ର ସମସ୍ତଙ୍କୁ ବିମୋହିତ କରୁଛି ।
ଇଣ୍ଟରନେଟ ଯୁଗରେ ଏଭଳି କଳା ଠାରୁ ଅନେକ ପ୍ରାୟତଃ ଦୂରେଇ ଯାଉ ଥିବାବେଳେ ଏହି ପଟ୍ଟଚିତ୍ର ଶିଳ୍ପୀ ଜଣଙ୍କ କଳାକୁ ଆପଣାଇବା ସହିତ ଏହାକୁ ନେଇ ପରିବାର ପ୍ରତିପୋଷଣ କରୁଛନ୍ତି । ଶଙ୍କରଙ୍କ ବାପା ପର୍ଶୁରାମ ସାହୁ ପୂର୍ବରୁ ଏଭଳି ପଟ୍ଟଚିତ୍ର ଆଙ୍କୁଥିଲେ । ବାପାଙ୍କ ଠାରୁ ଏଭଳି ଶିକ୍ଷା ଗ୍ରହଣ କରିବା ପରେ ପରବର୍ତ୍ତୀ ସମୟରେ ଏହାକୁ ପେଶା ଭାବରେ ଧରିନେଇଥିଲେ ।
ମୁଖ୍ୟତଃ ଚିତ୍ର କରାଯାଉଥିବା ପଟିକୁ ପାରମ୍ପରିକ ଭାବରେ ପ୍ରସ୍ତୁତ କରାଯାଇଥାଏ । ପୁରୁଣା ସୂତା ଲୁଗାକୁ ତେନ୍ତୁଳି ମଞ୍ଜି ଅଠା ଦେଇ ପ୍ରାୟ ୨ ରୁ ୩ ପରସ୍ତ କରାଯାଇ ମୋଟା କରାଯାଇଥାଏ । ଏହାପରେ ଖଡ଼ି ଏବଂ ଅଠା ଦେଇ ଘୋଳ କରାଯାଇ କପଡ଼ାରେ ଚିକ୍କଣ ପଥରରେ ଘସି ପଟିକୁ ପ୍ରସ୍ତୁତ କରାଯାଇଥାଏ । ସେହିଭଳି ରଙ୍ଗ ପ୍ରସ୍ତୁତ ପାଇଁ ବତି କଳାରୁ କଳା ରଙ୍ଗ ପ୍ରସ୍ତୁତ ହେଉ ଥିବାବେଳେ ଲାଲ ରଙ୍ଗ ପାଇଁ ସିନ୍ଦୂର, ଗନ୍ଧକରୁ ହଳଦିଆ, ଶଙ୍ଖରୁ ଧଳା, ଖଣ୍ଡ ନୀଳରୁ ନୀଳ ରଙ୍ଗ ପ୍ରସ୍ତୁତ ହୋଇଥାଏ । ପ୍ରସ୍ତୁତ ହୋଇଥିବା ପଟିରେ ପ୍ରଥମେ ପେନ୍ସିଲ ବ୍ୟବହାର କରାଯାଇ ଦେବାଦେବୀଙ୍କ ଚିତ୍ର କରାଯାଇଥାଏ ।
ଶେଷରେ ନେତ୍ର କାର୍ଯ୍ୟ ହୋଇ ଶଙ୍ଖପତା ଦେଇ ଚିତ୍ର ଶେଷ କରାଯାଇଥାଏ । ଇତିମଧ୍ୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍କିଲ୍ ଡେଭଲପମେଣ୍ଟ ମାଧ୍ୟମରେ ଆଖପାଖ ଅଞ୍ଚଳର ୨୦ ଜଣ ବିଦ୍ୟାର୍ଥୀଙ୍କୁ ନେଇ ପଟ୍ଟଚିତ୍ର କଳା ସମ୍ପର୍କରେ ତାଲିମ ପ୍ରଦାନ କରୁଛନ୍ତି ଶିଳ୍ପୀ ଶଙ୍କର । ୧୯୯୮ ମସିହାରେ ଶଙ୍କର ଡିପ୍ଲୋମା ଶିକ୍ଷା ଲାଭ କରିବା ସହ ସରକାରଙ୍କ ଠାରୁ ଦୁଇ ବର୍ଷୀୟା ଜାତୀୟ ମେଧା ବୃତ୍ତି ପାଇବା ସହ ଜଣେ ପ୍ରଶିକ୍ଷକ ରହିଛନ୍ତି । ତେବେ ପଟ୍ଟଚିତ୍ର କଳା ପ୍ରତି ଆଗ୍ରହ ରଖିବା ସହ ପାରମ୍ପରିକ କଳାକୁ ବଞ୍ଚାଇ ରଖି ଆଜି ସୁଦ୍ଧା ପ୍ରାୟ ୫୦୦ ରୁ ଊର୍ଦ୍ଧ୍ୱ ପଟ୍ଟଚିତ୍ର ପ୍ରସ୍ତୁତ କରିସାରିଲେଣି ଶଙ୍କର ।
ତେବେ ଶଙ୍କର ପଟ୍ଟଚିତ୍ର କଳାକୁ ବଞ୍ଚାଇ ରଖିବା ପାଇଁ ଅନ୍ୟ ପିଲାମାନଙ୍କୁ ମଧ୍ୟ ଶିକ୍ଷା ଦେଉଛନ୍ତି । ତାଙ୍କ ପାଖରେ ଏକାଧିକ ଛାତ୍ରଛାତ୍ରୀ ଚିତ୍ର କଳା ଶିକ୍ଷା କରୁଛନ୍ତି । ଯଦି ସରକାରୀସ୍ତରରେ ଶଙ୍କରଙ୍କୁ କିଛି ସୁବିଧା ସହଯୋଗ ମିଳିପାରନ୍ତା ତେବେ ଲୋପ ପାଇଯାଉଥିବା ଏହି ନିଆରା ପଟ୍ଟଚିତ୍ର କଳା ଜନାଦୃତ ହୋଇପାରନ୍ତା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ