ବ୍ରହ୍ମପୁର: ଭିଜିଲାନ୍ସ (Vigilance) ସ୍କାନରରେ ଖାଦ୍ୟ ଓ ଯୋଗାଣ ବିଭାଗର ସିଏସ୍ଓ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିଏସଓ ଅନାଦି ଚରଣ ସେଠୀଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଏକାକାଳୀନ ଚାଲିଛି ରେଡ୍ । ବ୍ରହ୍ମପୁର ସହରର ଖାରବେଳ ନଗର ତୃତୀୟ ଲାଇନରେ ରହିଥିବା ପୈତୃକ ଘର ସମେତ ଛତ୍ରପୁରସ୍ଥିତ ରାମ ନଗର ପ୍ରଥମ ଲେନ ବାସଭବନ ଭଡ଼ା ଦେଇଥିବା ଦୋକାନ ଘରେ ମଧ୍ୟ ଚଢ଼ାଉ କରାଯାଇଛି ।
ସେହିପରି ବାଲେଶ୍ଵର, ଭୁବନେଶ୍ୱର ଭଳି ଅନ୍ୟ ଦୁଇଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଏହି ଚଢାଉରେ ଭିଜିଲାନ୍ସ ବିଭାଗର ୪ଡିଏସପି ଏବଂ ୮ଜଣ ଇନିସ୍ପେକ୍ଟର ରହିଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ଥରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ଅନାଦି ଚରଣ ସେଠୀ । ସୂଚନା ଅନୁସାରେ, ଅନାଦି ଭୁବନେଶ୍ୱର ସ୍ଥିତ ରାଜ୍ୟ ଯୋଗାଣ ବିଭାଗରେ ବର୍ତ୍ତମାନ କାର୍ଯ୍ୟରତ ରହିଥିବାବେଳେ, ପୂର୍ବରୁ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିଠାରେ ଜିଲ୍ଲା ଯୋଗାଣ ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ । ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ ।
ଇଟିଭି ଭାରତ, ବ୍ରହ୍ମପୁର