ବ୍ରହ୍ମପୁର: BPL ପରିବାରର ବାଳିକା ବିଦ୍ୟାର୍ଥୀଙ୍କୁ ଗୋପାଳପୁର NTTF ଶିକ୍ଷାନୁଷ୍ଠାନ ପକ୍ଷରୁ ଦିଆଯିବ ଡିପ୍ଲୋମା ତାଲିମ । ଏହି ତାଲିମପ୍ରାପ୍ତ ଛାତ୍ରୀ ଦେଶବିଦେଶର ନାମୀଦାମୀ କମ୍ପାନୀରେ ନିଯୁକ୍ତି ପାଇବାର ସୁଯୋଗ ପାଇବେ । ପ୍ରଥମଥର ପାଇଁ BPL ପରିବାରର ୭୫ ଜଣ ବାଳିକାଙ୍କୁ ଡିପ୍ଲୋମା ତାଲିମ ପାଇଁ ପ୍ରାୟୋଜକ ମିଳିିଛି । ଏହାକୁ ନେଇ NTTF ଗୋପାଳପୁରରେ ସେଲି ଫିଏଷ୍ଟା ଏ ନିଉ ଏରା(A New Era) ନାମକ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍ଚି ଯୋଗ ଦେଇ ଏହାକୁ ଶୁଭାରମ୍ଭ କରିଛନ୍ତି । ଏଥିରେ ସମ୍ମାନିତ ଅତିଥି ରୂପେ ମୋ ସ୍କୁଲ୍ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗଚି ଯୋଗ ଦେଇଥିଲେ । NTTF ଦେଶର ସର୍ବଶ୍ରେଷ୍ଠ ଦକ୍ଷତା ବିକାଶ ସଂସ୍ଥା ହୋଇଥିବାବେଳେ ଆସନ୍ତା ୨୦୨୬ ସୁଦ୍ଧା ଏନଟିଟିଏଫ ଗୋପାଳପୁର ଜାତୀୟ ସ୍ତରରେ ଏକ ଜଣାଶୁଣା ଅନୁଷ୍ଠାନ ଭାବେ ଉଭା ହେବାକୁ ଆଶା ରଖିଛି । ପ୍ରତ୍ୟେକ ବର୍ଷ କିଭଳି ଭାବେ ଏକ ହଜାର ପ୍ରଶିକ୍ଷାର୍ଥୀ ଏହି ଅନୁଷ୍ଠାନରୁ ତାଲିମ ନେଇପାରିବେ ସେ ନେଇ ଏକ ରୂପରେଖ ତିଆରି ପାଇଁ ଟାଟା ଷ୍ଟିଲ, ଏନଟିଟିଏଫକୁ ପରାମର୍ଶ ଦେଇଛି ।
ବୈଷୟିକ ଶିକ୍ଷା ନୁହେଁ ପ୍ରଶିକ୍ଷାର୍ଥୀମାନଙ୍କର ସର୍ବାଙ୍ଗୀନ ଉନ୍ନତି କରି ସେମାନଙ୍କୁ ବିଶ୍ୱସ୍ତରୀୟ ସଂସ୍ଥାରେ ନିଯୁକ୍ତି ଯୋଗ୍ୟ କରାଯିବ ବୋଲି ମଧ୍ୟ NTTF କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ଗଞ୍ଜାମ ଜିଲ୍ଲାର ଟାଟା ଷ୍ଟିଲ୍ କାର୍ଯ୍ୟକ୍ଷମ ଅଞ୍ଚଳ ଏବଂ ଗଜପତି, ଯାଜପୁର, କେଉଁଝର ଓ ଢେଙ୍କାନାଳର ୭୫ ଜଣ BPL ବର୍ଗର ତାଲିକାଭୁକ୍ତ ପ୍ରଶିକ୍ଷାର୍ଥୀଙ୍କୁ ଚୟନ କରାଯାଇଛି | ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାରୁ ୬୫, ଗଜପତିରୁ ୩, ଯାଜପୁରରୁ ୩, କେଉଁଝରରୁ ୩ ଏବଂ ଢେଙ୍କାନାଳରୁ ଜଣେ ପ୍ରଶିକ୍ଷାର୍ଥୀ ଚୟନ ହୋଇଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ