ବ୍ରହ୍ମପୁର: ପୁଣି ଅଲୋଡା ଶିଶୁକନ୍ୟା। ଗଞ୍ଜାମ ଜିଲ୍ଲାର ଆସିକା ଥାନା ଅଧିନସ୍ଥ ସୁନାମ୍ବ ସାହି ପଛପଟ ଋଷିକୁଲ୍ୟା ନଦୀ କୂଳରେ ଏକ ଶିଶୁ କନ୍ୟାକୁ କେହି ଛାଡି ଚାଲିଯାଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
କେହି ଜଣେ ଋଷିକୁଲ୍ୟା ନଦୀକୂଳରେ ରହିଥିବା ଶଶ୍ମାନ ଘାଟରେ ଏକ ଜନ୍ମିତ ଶିଶୁକନ୍ୟାକୁ ଅଖା ଉପରେ ରଖି ଫେରାର ହୋଇ ଯାଇଥିଲା। ତେବେ ଶୁକ୍ରବାର ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ପରିବାରବର୍ଗ ଓ ମହିଳା କୌଣସି କାମରେ ସେଠାକୁ ଯାଇଥିବା ବେଳେ, ହଠାତ୍ ଏକ ଶିଶୁର କାନ୍ଦିବା ସ୍ବର ଶୁଣିବାକୁ ପାଇଥିଲେ। ଏହି ଶବ୍ଦ ଶୁଣି ସମସ୍ତେ ସେଠାରେ ପହଞ୍ଚି ଯାହା ଦେଖିଥିଲେ ତାହା ଚକିତ କରି ଦେଇଥିଲା। ନବଜାତ ଶିଶୁଟିର ନାଭି କଟାଯାଇ ନଥିବା ସେମାନେ ଦେଖିବାକୁ ପାଇଥିଲେ।
ସେମାନଙ୍କ ମଧ୍ୟରୁ ଜଣେ ନିଃସନ୍ତାନ ମହିଳା ଶିଶୁକନ୍ୟାକୁ ଦେଖି ଖୁସି ହେବା ସହ, ପ୍ରଥମେ ଆସିକା ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇଥିଲେ। ଏହାପରେ ସେମାନେ ଶିଶୁକୁ ଘରକୁ ନେଇ ଯାଇଥିଲେ। ହେଲେ ଏ ଘଟଣା ସମ୍ପର୍କରେ ଡାକ୍ତର ଜାଣିବା ପରେ ସ୍ଥାନୀୟ ଥାନାକୁ ଏନେଇ ଖବର ଦେଇଥିଲେ। ପରେ ଆସିକା ସିଡିପିଓ ଘଟଣା ସମ୍ପର୍କରେ ବ୍ରହ୍ମପୁର ଚାଇଡ୍ ଲାଇନକୁ ଅବଗତ କରିଥିଲେ। ପୋଲିସ ଉପସ୍ଥିତିରେ ଶିଶୁକନ୍ୟାକୁ, ସେହି ମହିଳାଙ୍କ ଠାରୁ ଉଦ୍ଧାର କରାଯାଇ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି।
ସରକାରଙ୍କ ପକ୍ଷରୁ ମୋ ଗେହ୍ଲା ଝିଅ ଯୋଜନା ମାଧ୍ୟମରେ ଶିଶୁକନ୍ୟାର ସୁରକ୍ଷା ପାଇଁ ଅନେକ କାର୍ଯ୍ୟକ୍ରମ କରାଯାଉଥିବା ବେଳେ, ଏଭଳି ଘଟଣା ଏବେ ଏହି ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛି।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ