ବ୍ରହ୍ମପୁର: ରାମଲିଙ୍ଗମ ପ୍ରମୋଦ ଉଦ୍ୟାନରେ ଉଦଘାଟିତ ହୋଇଯାଇଛି 3D ମ୍ୟାପିଙ୍ଗ ସହ ମନଲୋଭା ମ୍ୟୁଜିକାଲ ଫାଉନଟେନ(Musical Fountain Inaugurated In Berhampur) । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟ ତଥା ପୂର୍ବ ଭାରତର ପ୍ରଥମ ଆଧୁନିକ ଜ୍ଞାନ କୌଶଳର ଶବ୍ଦ ଆଲୋକ ଖେଳ ସାଙ୍ଗକୁ 3D ମ୍ୟାପିଙ୍ଗ ସହ ମନଲୋଭା ମ୍ୟୁଜିକାଲ ଫାଉନଟେନକୁ ରେଶମ ସହରର ରାମଲିଙ୍ଗମ ପାର୍କ ପରିସରରେ ବ୍ରହ୍ମପୁର ତଥା ଓ ଗଞ୍ଜାମବାସୀଙ୍କ ପାଇଁ ଉତ୍ସର୍ଗିକୃତ କରିଛନ୍ତି ।
ଏହା ଗଞ୍ଜାମ ତଥା ରାଜ୍ୟବାସୀଙ୍କ ପାଇଁ ନବବର୍ଷର ଭେଟି କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ମୋଟ ୬.୯୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି 3D ମ୍ୟାପିଙ୍ଗ ସହ ମନଲୋଭା ମ୍ୟୁଜିକାଲ ଫାଉନଟେନକୁ ବ୍ରହ୍ମପୁର ଉନ୍ନୟନ କର୍ତ୍ତୁପକ୍ଷ ଏବଂ ବ୍ରହ୍ମପୁର ମହାନଗର ନିଗମ ଆନୁକୁଲ୍ଯରେ ସ୍ଥାପିତ ହୋଇଅଛି । ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ୍ତ ହୋଇଥିବା ଏହି 3D ମ୍ୟାପିଙ୍ଗ, ସଙ୍ଗୀତ ଏବଂ ଫାଉନଟେନ । ବିଶ୍ଵର ଏକ ଉତ୍କୃଷ୍ଟ ଆଧୁନିକ ବୈଜ୍ଞାନିକ ଜ୍ଞାନ କୌଶଳ(OASE GERMANY) ଦ୍ଵାରା ନିର୍ମିତ୍ତ ଏହି ଫାଉନଟେନ । ସୁଦୂର ଦୁବାଇ, ସିଙ୍ଗାପୁର, ସିଓଲ, ଜର୍ମାନୀ, ଫ୍ରାନ୍ସ ପରି ସହରମାନଙ୍କରେ ଏହି OASE ଜ୍ଞାନ କୌଶଳର ଫାଉନଟେନ ଶୋଭା ବଢାଉଅଛି ।
ଫାଉନଟେନ ମଧ୍ୟରେ ରହିଥିବା ଭେରିଓମାଷ୍ଟର ଜେଟ ସାରା ଦେଶରେ ପ୍ରଥମ ଓ ବିଶ୍ଵର ଦ୍ଵିତୀୟ ସ୍ଥାପନା ବୋଲି କୁହାଯାଇଛି । ଏହି ଫାଉନଟେନ ଜ୍ଞାନ କୌଶଳ ପ୍ଲମବିଙ୍ଗ ବିହୀନ, ଏନର୍ଜି ଏଫିସିଏଣ୍ଟ ଏବଂ DMX/RDM Controlled ଯାହାକି ଅଦ୍ଵିତୀୟ । ଭଗବାନ ଶିବଙ୍କ ପ୍ରତିମୂର୍ତ୍ତି ଉପର 3D ମ୍ୟାପିଙ୍ଗ ଓ ତାର ପଟ୍ଟକଥା ରଚନା କରିଛନ୍ତି ମ୍ୟୁଜିକାଲ ଥିଏଟର 3Dର ଅମନ ଅରୋରା । ପଟ୍ଟକଥା ଅନୁସନ୍ଧାନ ଓ ରଚନାରେ ସହଯୋଗ କରିଛନ୍ତି ସୁନାମଧନ୍ୟ ହିନ୍ଦୀ ଓ ସଂସ୍କୃତ ଲେଖକ ଗବେଷକ ତଥା ସେକ୍ରେଟାରୀ, ହିନ୍ଦୀ ଏକାଡେମି ନିଉ ଦିଲ୍ଲୀ, ଡ. ଜିତରାମ ଭଟ୍ଟ ।
ପଟ୍ଟକଥା ଓ 3D ମ୍ୟାପିଙ୍ଗକୁ ସଙ୍ଗୀତରେ ସଜେଇଛନ୍ତି ଭାରତର ଅନ୍ତର୍ଜାତୀୟ ସୁନାମଧନ୍ୟ ମ୍ୟୁଜିକାଲ ବ୍ୟାଣ୍ଡ–ଇଣ୍ଡିଆନ ଓସେନ । ଏହାର ପଚ୍ଛଦପଟ୍ଟ ସ୍ଵର ସୁନାମଧନ୍ୟ ଜିତେନ୍ଦ୍ର ପ୍ରସାଦଙ୍କ କଣ୍ଠରେ ସଜାଯାଇଛି । ଯାହାଙ୍କୁ ଦେଶର ଅନେକ ବଡବଡ କାର୍ଯ୍ୟକ୍ରମ ଏବଂ ପ୍ରମୁଖ ଚଳଚିତ୍ରରେ ଶୁଣିବାକୁ ମିଳିଥାଏ । ଏହି ମ୍ୟୁଜିକାଲ ଫାଉନଟେନ ପର୍ଯ୍ୟଟନ ମାନଚିତ୍ରରେ ଆଉ ଏକ ନୂତନ ପୃଷ୍ଠା ହୋଇ ଯୋଡି ହୋଇଯିବ ଓ ବ୍ରହ୍ମପୁରକୁ ଏକ ନୂତନ ଗନ୍ତ୍ୟବ ସ୍ଥଳ ଭାବରେ ପରିଚିତ କରାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା କରିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ