ବ୍ରହ୍ମପୁର: ଗଜପତି ନର୍ସିଂ କଲେଜ ଛାତ୍ରୀ ଅଖିଲା ବେହେରାଙ୍କ ମୃତ୍ୟୁ ଘଟଣା ରହସ୍ୟ ଘେରକୁ ଟାଣି ହୋଇଯାଉଛି । ଗଞ୍ଜାମ ଜିଲ୍ଲାର ହରିପୁର ଗ୍ରାମର ଅଖିଲା ବେହେରାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ପରିବାର । ଏନେଇ ସାମନାକୁ ଆସିଛି ଏକ ନୂଆ ତଥ୍ୟ । ଏହି ସମୟରେ ଘଟଣାର ପ୍ରକୃତ ତଦନ୍ତ ଦାବି କରିଛନ୍ତି ଅଖିଲାଙ୍କ ପରିବାର ଲୋକେ ।
ମୃତ ଅଖିଲାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ, "ଓଡିଶାରେ ରହିଥିବା ଉକ୍ତ ଶିକ୍ଷାନୁଷ୍ଠାନରେ ପୂର୍ବରୁ ଝିଅ ଓଡିଆରେ କଥା କହିଥିବାରୁ ତାଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା । ସେଠାରେ କେବଳ ତେଲୁଗୁ ନହେଲେ ଇଂରାଜୀରେ କହିବାକୁ ବାଧ୍ୟ କରାଯାଉଥିଲା । ଘଟଣାଦିନ ରାତି ୧୨ ଟା ପରଠାରୁ ସକାଳ ୮ଟା ପର୍ଯ୍ୟନ୍ତ କାହିଁ ଓ କେଉଁ କାରଣରୁ ବନ୍ଦ ହୋଇଥିଲା ସିସିଟିଭି ? ଏହି ଘଟଣାକୁ ନେଇ ପୋଲିସ ପ୍ରଶାସନ ପ୍ରକୃତ ଘଟଣାର ତଦନ୍ତ କରୁ ।"
ଅନ୍ୟପଟେ ଅଖିଲାଙ୍କ ମାଆଙ୍କ ଅଭିଯୋଗ ଅନୁସାରେ,"ମୃତଦେହ ଝୁଲୁଥିବା ସ୍ଥାନଟି ଅଧିକ ଉଚ୍ଚରେ ରହିଥିବା ବେଳେ କିପରି ଚଢିଲେ ଅଖିଳା ? ଯଦି ଆତ୍ମହତ୍ୟା କରିଥାନ୍ତେ ତାହେଲେ ଲୁଗାରେ ପାଞ୍ଚଟି ଗଣ୍ଠିର କଣ ରହିଥିଲା ଆବଶ୍ୟକତା ? ଝିଅକୁ ମାରି ସେଠାରେ ଝୁଲାଇ ଦିଆଯାଇଛି । ଘଟଣାର ତଦନ୍ତ କରାଯାଉ । ମୋ ଝିଅକୁ ନ୍ୟାୟ ମିଳୁ । ଦୋଷୀକୁ କୋଠର ଦଣ୍ଡ ଦିଆଯାଉ ।"
ଅଖିଳାଙ୍କ ସହପାଠୀଙ୍କ କହିବା ଅନୁସାରେ, ପରୀକ୍ଷା ହଲରେ ଅଖିଲା କପି କରି ଲେଖୁଥିବା ଦର୍ଶାଇ କଲେଜ ଅଧ୍ୟକ୍ଷା ଅପମାନିତ କରିଥିଲେ । ବାରମ୍ବାର କଲେଜ୍ ଅଧ୍ୟକ୍ଷାଙ୍କ ନିର୍ଯାତନା ସହିନପାରି ସେ ଏଭଳି ଆତ୍ମହତ୍ୟା କରିଛନ୍ତି । ସେପଟେ ଛାତ୍ରୀଙ୍କ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି କଲେଜର ଅଧ୍ୟକ୍ଷା ।
ଅନ୍ୟପଟେ ଗ୍ରାମବାସୀଙ୍କ ପକ୍ଷରୁ ଘଟଣାର ପ୍ରକୃତ ସତ୍ୟାସତ୍ୟା ଅନୁସନ୍ଧାନ ସହିତ ମୃତ ଛାତ୍ରୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରି ମୃତ ଛାତ୍ରୀଙ୍କ ଗ୍ରାମରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିବା ବେଳେ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ବିଭିନ୍ନ ସଙ୍ଗଠନ । ଅନ୍ୟପଟେ ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଏହି ଘଟଣା ଉପରୁ ପରଦା ହଟାଇ ପାରିନାହିଁ । ଏହି ଘଟଣାରେ ସିସି ଟିଭି ଫୁଟେଜ୍ ଜବତ କରି ଫରେନସିକ୍ ଲେବ୍ରୋଟେରୀକୁ ପଠାଇବା ହିଁ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ଗଜପତି ଏସଡିପିଓ । ତେବେ ନର୍ସିଂ ଛାତ୍ରୀ ଅଖିଳା ବେହେରା କାହିଁକି ଏଭଳି ଆତ୍ମହତ୍ୟା କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ କେବେ ସତ୍ୟ ଲୋକଲୋଚନକୁ ଆସିବ ତାହା ଦେଖିବାକୁ ବାକି ରହିଲା ।
ଇଟିଭି ଭାରତ, ବ୍ରହ୍ମପୁର