ଚେନ୍ନାଇ: 21 ବର୍ଷର ବ୍ୟବଧାନ ପରେ ଚେନ୍ନାଇରେ ଆୟୋଜିତ ହୋଇଛି ଏୟାର ସୋ' । ବାୟୁବୀରଙ୍କ ଚିତାକର୍ଷକ ଶକ୍ତି ପ୍ରଦର୍ଶନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସକାଳ 10ଟା 30 ମିନିଟ ସମୟରେ ସୁଖୋଇ ଏସୟୁ-30, ଏଚଏଏଲ ତେଜସ ଏବଂ ରାଫେଲ ଭଳି ରକେଟ୍ ଦର୍ଶକଙ୍କୁ ଚକିତ କରିଦେଇଥିଲା । ଅନ୍ୟପଟେ ଏୟାର ସୋ' ବେଳେ ଘଟିଛି ହୃଦୟ ବିଦାରକ ଘଟଣା । ଦଳାଚକଟା ଓ ପ୍ରବଳ ଭିଡ଼ରେ ଶ୍ବାସରୁଦ୍ଧ ହୋଇ 4 ଜଣ ପ୍ରାଣ ହରାଇଛନ୍ତି । ଏହି ସୋ'ରେ କେବଳ ଭାରତୀୟ ବାୟୁସେନା ଅଧିକାରୀ ସାମିଲ ଥିଲେ ତା ନୁହେଁ, ପାଇଲଟମାନଙ୍କର କୌଶଳ ଦେଖି ମଧ୍ୟ ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଚିତାକର୍ଷକ ଏୟାର ସୋ':
ସାଧାରଣତଃ ଦିଲ୍ଲୀରେ ଆୟୋଜିତ ହୋଇଥାଏ ଏହି ଏୟାର ସୋ'। ହେଲେ ଚଳିତ ବର୍ଷ ଚେନ୍ନାଇରେ ଅନୁଷ୍ଠିତ ହୋଇ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି । ଏୟାର ସୋ' ଦେଖିବା ପାଇଁ ପାଖାପାଖି 1.5 ମିଲିୟନରୁ ଅଧିକ ଦର୍ଶକ ଆସିଥିଲେ । ଥିରୁଭାନମିୟୁର, ଆଡିଆର ଏବଂ ଏପରିକି ECR ବେଳାଭୂମିରେ ଦର୍ଶକମାନେ ଏୟାର ସୋ' ବେଳେ ପ୍ରଦର୍ଶନ କରାଯାଉଥିବା ଷ୍ଟଣ୍ଟର ମଜା ନେଇଛନ୍ତି। ପ୍ରବଳ ମାତ୍ରାରେ ଭିଡ଼ ଥିବାରୁ ସ୍ଥିତି ନିୟନ୍ତ୍ରଣାଧୀନ ହୋଇପାରିନଥିଲା । ଫଳରେ ଅନେକ ଲୋକ ଶ୍ବାସରୁଦ୍ଧ ହୋଇଯାଇଥିଲେ ।
ଚାଲିଗଲା 4 ଜୀବନ:

ଏହି ପରିପ୍ରେକ୍ଷୀରେ, କୋରୁକୁପେଟର ଜନ୍ (56) ନାମକ ଜଣେ ବୃଦ୍ଧ ଏୟାର ସୋ' ଦେଖିବା ପାଇଁ ଆସିଥିବାବେଳେ ମୃତ୍ୟୁବରଣ କରିଛନ୍ତି । ସେହିଭଳି କାର୍ତ୍ତିକେୟାନ, ଶ୍ରୀନିବାସନ ଏବଂ ଦୀନେଶ କୁମାର ନାମକ ଆଉ 3 ଜଣଙ୍କର ମଧ୍ୟ ଜୀବନ ଯାଇଛି । ଅନେକ ଲୋକ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ସରକାରଙ୍କୁ ଟାର୍ଗେଟ୍:

ଜନସାଧାରଣଙ୍କ ପାଇଁ ପର୍ଯ୍ୟାପ୍ତ ଶୌଚାଳୟ ସୁବିଧା ଏବଂ ପାନୀୟ ଜଳ ସୁବିଧା ନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ,ଉପଯୁକ୍ତ ପରିବହନ ସୁବିଧା ଅଭାବରୁ ଭାରି ଟ୍ରାଫିକରେ ଫସି ରହିଥିଲେ ଲୋକେ । ଅନ୍ୟପଟେ 4 ଜଣଙ୍କ ଜୀବନ ଯାଇଥିବାବେଳେ ଏଭଳି ଦୁର୍ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ପରିଚାଳନାଗତ ତ୍ରୁଟି ଅଭିଯୋଗ ଆଣି ବିରୋଧୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।
