ବ୍ରହ୍ମପୁର: ଦକ୍ଷିଣ ଓଡିଶାରେ ସ୍ବାସ୍ଥ୍ୟସେବାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହର । ଏଠାରେ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ଏମ୍.କେ.ସି.ଜି ମେଡିକାଲରୁ ଆରମ୍ଭ କରି, ରହିଛି ଅନେକ ଘରୋଇ ହସ୍ପିଟାଲ । ହେଲେ ଏସବୁ ସ୍ବାସ୍ଥ୍ୟକେନ୍ଦ୍ରରେ ଫାୟାର ସେଫ୍ଟିକୁ ନେଇ ଉଠୁଛି ପ୍ରଶ୍ନ ।
ଗଞ୍ଜାମ ଜିଲ୍ଲାରେ ମୋଟ 89 ଟି ବେସରକାରୀ ନର୍ସିଂହୋମ୍ ରହିଛି । ହେଲେ ଏଥିରୁ ଅଧିକାଂଶ ମେଡିକାଲରେ ଫାୟାର ସେଫ୍ଟିର ବ୍ୟବସ୍ଥା ନାହିଁ । ପୂର୍ବରୁ ଉଭୟ ସରକାରୀ ଏବଂ ବେସରକାରୀ ମେଡିକାଲ ଠାରୁ ଆରମ୍ଭ କରି ଘରୋଇ ନର୍ସିଂହୋମ୍ ଗୁଡିକରେ ଅନେକବାର ଅଗ୍ନିକାଣ୍ଡ ଘଟିଛି । ଅନେକ ଧନଜୀବନ, କ୍ଷତି ବି ହୋଇଛି । ହେଲେ ସ୍ଥିତି ବଦଳୁନଥିବାରୁ, ସରକାରଙ୍କ ଉଦାସିନତାକୁ ନେଇ ସାଧାରଣ ଲୋକେ ପ୍ରଶ୍ନ ଉଠାଇଛନ୍ତି ।
ସରକାରୀ ଗାଇଡ୍ ଲାଇନ ଅନୁସାରେ, ଯେଉଁ ନର୍ସିଂହୋମରେ 30ରୁ ଅଧିକ ବେଡ୍ ଥିବ, ବିଲଡିଂର ଉଚ୍ଚତା 12 ମିଟରରୁ ଅଧିକ ହୋଇଥିବ, ଗୋଟିଏ ଆଇସିୟୁ କିମ୍ବା 4ଟି ଫ୍ଲୋର ରହିଥିବ ସେହି କ୍ଷେତ୍ରରେ ଫାୟାର କ୍ଲିୟରାନ୍ସ ପ୍ରମାଣପତ୍ରର ଆବଶ୍ୟକତା ରହିଛି ।
ତେବେ ଜିଲ୍ଲାରେ ଥିବା 89 ଟି ବେସରକାରୀ ନର୍ସିଂହୋମ୍ ଭିତରୁ ମାତ୍ର ଚାରୋଟି ନର୍ସିଂହୋମ୍ରେ 30 ଶଯ୍ୟା ରହିଛି । ଆଉ ଏଠାରେ ହିଁ ସମସ୍ତ ଫାୟାର ସେଫ୍ଟି ବ୍ୟବସ୍ଥାର ତଦାରଖ କରାଯାଉଥିବା ବିଭାଗ ପକ୍ଷରୁ କୁହାଯାଉଛି । ଏହାସହ ମେଡିକାଲ ଗୁଡିକରେ ଅଗ୍ନିଶମ ନିରାପତ୍ତା ପାଇଁ ଟ୍ରେନିଂର ମଧ୍ୟ ଆୟୋଜନ କରାଯାଉଛି ।
ତେବେ କେବଳ 4ଟି ନିର୍ସିଂହୋମ୍ରେ ଏହି ସମସ୍ତ ସୁବିଧା ଥିବାବେଳେ ବାକି ନର୍ସିଂହୋମ୍ରେ ଫାୟାର ସେଫ୍ଟିର ସ୍ଥିତି କଣ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ