ବ୍ରହ୍ମପୁର: ମହାମାରୀ କୋରୋନାର ପ୍ରକୋପରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ପ୍ରବାସୀ ଶ୍ରମିକ । ବର୍ଷ ବର୍ଷ ଧରି ବିଭିନ୍ନ ସହରରେ ଅନେକ ପ୍ରକାର କାର୍ଯ୍ୟ କରି ଆସୁଥିବା ଶ୍ରମିକ ମାନେ ଲକଡାଉନ ସମୟରେ କଷ୍ଟେମଷ୍ଟେ ଭିଟ୍ଟାମାଟିକୁ ଫେରି ଆସିଛନ୍ତି । ହେଲେ ଏବେ ଏମାନଙ୍କ ପାଇଁ ସବୁଠୁ ବଡ଼ ଚିନ୍ତା ହେଉଛି ପେଟ ପୋଷିବା ।
ଏହି ପରିପ୍ରେକ୍ଷୀରେ ରାଜ୍ୟର ଗଞ୍ଜାମ ଜିଲ୍ଲାକୁ ଫେରିଛନ୍ତି ସବୁଠାରୁ ଅଧିକ ପ୍ରବାସୀ ଶ୍ରମିକ । ସରକାରଙ୍କ ନିୟମ ଅନୁସାରେ କ୍ବାରେଣ୍ଟାଇନରେ ରହିବା ପରେ ଏବେ ଗତ ଦୁଇରୁ ତିନି ମାସ ହେଲା ହାତବାନ୍ଧି ବସିଛନ୍ତି ଏମାନେ । ନା ହାତରେ ଅଛି ଅର୍ଥ, ନା ପାଖରେ ଅଛି ନିଯୁକ୍ତିର ସୁଯୋଗ । ଅର୍ଥାଭାବ ସାଙ୍ଗକୁ କାମଧନ୍ଧାର ଅଭାବ ଜୀବନ ଜୀବିକାରେ ପକାଉଛି ପ୍ରଭାବ । ଏପରି ସ୍ଥଳେ କିଛି ଶ୍ରମିକ ରାଜ୍ୟରେ କାମ ନପାଇ ପୁଣି ସହର ମୁହାଁ ହେବାକୁ ଉଦ୍ୟମ କଲେଣି । ଯଦି ରାଜ୍ୟ ସରକାର ତୁରନ୍ତ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ନକରନ୍ତି ତେବେ ବାଧ୍ୟ ହୋଇ ପୁଣି ସହରକୁ ଫେରିଯିବା ର ସମ୍ଭାବନା ରହିଛି ।
ରାଜ୍ୟକୁ ବେସରକାରୀ ଭାବରେ ପ୍ରାୟ ୫ ରୁ ୭ ଲକ୍ଷ ପ୍ରବାସୀ ଫେରିଥିବା କୁହାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲାକୁ ଫେରିଛନ୍ତି 2 ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ । ଟ୍ରେନ, ବସ କିମ୍ବା ଅନ୍ୟାନ୍ୟ ବ୍ୟବସ୍ଥା ଯୋଗେ ଜୁନ୍ ମାସ ଶେଷ ସୁଦ୍ଧା 2 ଲକ୍ଷ 16 ହଜାର 820 ଜଣ ପ୍ରବାସୀ ଶ୍ରମିକ କେବଳ ଗଞ୍ଜାମ ଜିଲ୍ଲାକୁ ଫେରିଛନ୍ତି । ବର୍ତ୍ତମାନ ମଧ୍ୟ ଜିଲ୍ଲାକୁ ଅନେକ ପ୍ରବାସୀ ଶ୍ରମିକ ଫେରୁଥିବା ଦେଖାଯାଉଛି । ସେପଟେ ଜିଲ୍ଲାରେ କ୍ଲଷ୍ଟର ସ୍ତରୀୟ ଟିଏମସି ରେ ୨୮୦୦ ବ୍ୟକ୍ତିବିଶେଷ ରହିଛନ୍ତି । ଫେରିଥିବା ଶ୍ରମକଙ୍କ ମଧ୍ୟରୁ ୪୫ ପ୍ରତିଶତ କୁଶଳୀ ଏବଂ ୫୫ ପ୍ରତିଶତ ଅଣ କୁଶଳୀ ଶ୍ରମିକ ରହିଛନ୍ତି । ସ୍ଥିତି ସ୍ବାଭାବିକ ହେଲେ ଅନେକ ଫେରିଯିବା ବେଳେ ଅଣକୁଶଳୀ ଶ୍ରମିକଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ସ୍ଥିତିରେ ରହିଛି । ମୁଖ୍ୟତଃ ଗ୍ରାମାଞ୍ଚଳରେ ମନେରଗା ଯୋଜନାରେ ପ୍ରତ୍ୟେକ ପ୍ରବାସୀଙ୍କୁ କର୍ମ ନିଯୁକ୍ତି ସହିତ ସ୍ବତନ୍ତ୍ର ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା କହିଛନ୍ତି ବୁଦ୍ଧିଜୀବି ।
ଗଞ୍ଜାମରେ ଅନେକ ଲୋକ କୋରୋନା ସଂଙ୍କ୍ରମଣର ଶିକାର ହୋଇ ଏକ ପ୍ରକାର ହଟସ୍ପଟ ଭାବରେ ପରିଣତ ହୋଇସାରିଛି ଏହି ଜିଲ୍ଲା । ଏଭଳି ସମୟରେ ପ୍ରବାସୀ ଶ୍ରମିକଙ୍କ ରୋଜଗାର ପାଇଁ ସରକାର ବିକଳ୍ପ ବ୍ୟବସ୍ଥା ନକଲେ ଶ୍ରମିକଙ୍କ ସ୍ଥିତି ଅତି ବିପଦଜ୍ଜନକ ଆଡକୁ ମୁହାଁଇବ ସେଥିରେ ସନ୍ଦେହ ନାହିଁ ।
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ