ବ୍ରହ୍ମପୁର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ବିଭିନ୍ନ କଟକଣାକୁ କଡାକଡି କରାଯାଇଥିବା ସତ୍ତ୍ବେ ଖୋଲାଖୋଲି ନିୟମର ଧଜିଆ ଉଡିଛି । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଗୋପାଳପୁରର ଏକ ପଞ୍ଚତାରକା ହୋଟେଲରେ ଆୟୋଜିତ ବିବାହ ଉତ୍ସବରେ । ସମସ୍ତ ନିୟମ ଉଲ୍ଲଙ୍ଘନ କରି ଅତି ଧୁମଧାମରେ ଏହି ବିବାହ ଆୟୋଜନ ହୋଇଥିବା ବେଳେ ଏହାର ଏକ ଭିଡିଓ ଭାଇରାଲ ହୋଇଥିଲା । ଯାହାର ଯାଞ୍ଚ ପରେ ପ୍ରଶାସନ ସମ୍ପୃକ୍ତ ଘଟଣାରେ 50 ହଜାର ଟଙ୍କାର ଜୋରିମାନା ଲାଗୁ କରିଛି ।

କେବଳ ସେତିକି ନୁହେଁ, ହୋଟେଲ ମଧ୍ୟରେ ଶୋଭାଯାତ୍ରାର ଆୟୋଜନ ହୋଇଥିବା ବେଳେ ଏଥିରେ ବ୍ୟବହୃତ ଦୁଇ ଗାଡି ଜବତ କରିବା ସହ ବର ସମେତ ପାଞ୍ଚ ଜଣଙ୍କୁ ବ୍ରହ୍ମପୁର ପୋଲିସ ଗିରଫ କରିଛନ୍ତି । ଏହାବ୍ୟତୀତ କୋରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ମାସ୍କ ବ୍ୟବହାର, ସାମାଜିକ ଦୂରତ୍ବ ବଜାୟ ରଖିବା ସହ ବିବାହ ଓ ବ୍ରତଘର ଆଦି ଉତ୍ସବରେ ହାତ ଗଣତି ଲୋକଙ୍କୁ ସାମିଲ ହେବା ପାଇଁ ନିୟମ ରହିଛି । ହେଲେ ଏହି ବିବାହ ଉତ୍ସବରେ ଏସମସ୍ତ ନିୟମ ଭାଙ୍ଗି ବେଶ ଧୁମଧାମରେ ବିବାହ ହୋଇଥିବା ଦେଖାଯାଇଥିଲା । ଫଳରେ ଉପରୋକ୍ତ ନିୟମ ଅବମାନନା ପାଇଁ ସମ୍ପୃକ୍ତ ପଞ୍ଚତାରକା ହୋଟେଲକୁ ଆଗାମୀ ଏକ ସପ୍ତାହ ଯାଏଁ ସିଲ୍ କରାଯାଇଛି ।

ସୂଚନା ଅନୁଯାୟୀ ବ୍ରହ୍ମପୁରର ଜନୈକ ହୋଟେଲ ମାଲିକ ନିଜ ପୁଅର ବାହାଘର ପାଇଁ ଗୋପାଳପୁରର ଏକ ପଞ୍ଚତାରକା ହୋଟେଲରେ ଏପରି ଆୟୋଜନ କରିଥିଲେ । ଗତ ଜୁଲାଇ 2 ତାରିଖରେ ଏହି ବିବାହ ଆୟୋଜିତ ହୋଇଥିବା ବେଳେ ଏହାର ଆୟୋଜନ ସମେତ ଶୋଭାଯାତ୍ରାର ଏକ ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଏପରି କାର୍ଯ୍ୟକଳାପ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ