ବ୍ରହ୍ମପୁର: ଟଙ୍କା ଆଗରେ ଫିକା ପଡିଲା ସାତ ଜନ୍ମର ସମ୍ପର୍କ । ଯୌତୁକ ଟଙ୍କା ପାଇଁ ସ୍ତ୍ରୀକୁ ପୋଡି ମାରିବାକୁ ଉଦ୍ୟମ କରିଛି ସ୍ବାମୀ । ଯୌତୁକ ଲୋଭରେ ସ୍ତ୍ରୀକୁ ସାନିଟାଇଜର ଢାଳି ନିଆଁ ଲଗାଇ ଦେଇଛି ସଇତାନ ସ୍ବାମୀ । ଏଭଳି ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗାଁରେ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୀର୍ଘ ଦିନ ଧରି ସ୍ବାମୀ ନିଜ ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି । ଗୁରୁତର ହୋଇଥିବା ମହିଳା ଜଣକ ହେଉଛନ୍ତି ରିତା ପ୍ରଧାନ ।
ଜାଣନ୍ତୁ କଣ ଥିଲା ପୂରା ଘଟଣା ?
ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସାହାପୁର ଗାଁର ଛେନା ପ୍ରଧାନଙ୍କ ମଝିଆ ଝିଅ ରିତା ପ୍ରଧାନଙ୍କୁ ମହୁଡା ଗାଁର ସଞ୍ଜୟ ପ୍ରଧାନ ଗତ ଚାରି ବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ସମୟରେ ରିତାଙ୍କ ବାପା ଯୌତୁକ ବାବଦକୁ ଲକ୍ଷେ ୭୦ ହଜାର ଟଙ୍କା ଦେଇଥିଲେ । ଦୀର୍ଘ ଦିନ ଧରି ଘର ତିଆରି ନିମନ୍ତେ ୩ ଲକ୍ଷ ଟଙ୍କା ସଞ୍ଜୟ ମାଗି ଆସୁଥିଲେ । ଏନେଇ ପୂର୍ବରୁ ୨୦୧୯ ମସିହାରେ ବ୍ରହ୍ମପୁର ମହିଳା ଥାନାରେ ଲିଖିତ ଭାବେ ଜଣାଇଥିଲେ ମହିଳାଙ୍କ ପରିବାର ।
ହେଲେ ଗତକାଲି(ଗୁରୁବାର) ରୀତାଙ୍କ ପରିବାର ବର୍ଗ ଘଟଣାର ସମାଧାନ ପାଇଁ ମହୁଡ଼ା ଯାଇଥିଲେ । ଏବଂ ଆଲୋଚନା ମଧ୍ୟ କରିଥିଲେ। କିନ୍ତୁ ସେହି ସମୟରେ ଝିଅ ସହ ମିଶିବାକୁ ସଞ୍ଜୟ ସୁଯୋଗ ଦେଇ ନଥିଲେ । ଆଉ ଏହାପରେ ସନ୍ଧ୍ୟା ସମୟରେ ପ୍ରଥମେ ରିତା ଘର ଛାତ ଉପରେ ଥିବା ସମୟରେ ସଞ୍ଜୟ ତାଙ୍କୁ ସେଠାରୁ ଧକ୍କା ଦେଇ ମାରିବାକୁ ଚେଷ୍ଟା କରିଥିଲେ ବୋଲି ଅଭିଯୋଗ ହୋଇଛି ।
ଏହାବି ପଢନ୍ତୁ: ଯୌତୁକ ନିର୍ଯ୍ୟାତନା: ଶାଶୁ ନଣନ୍ଦଙ୍କ ନାଁ ରେ ଏତଲା ଦେଲେ ବୋହୂ
ହେଲେ ସେଥିରେ ବିଫଳ ହେବାରୁ ରୋଷେଇ ଘରେ ସାନିଟାଇଜର ଢାଳି ନିଆଁ ଲଗାଇଥିଲେ । ଏହା ପରେ ମହିଳା ଜଣଙ୍କ ନିଜ ଦେହରେ ପାଣି ଢାଳିବା ସହ ଗାଁ ନିକଟରେ ଥିବା ନିଜ ସମ୍ପର୍କୀୟ ଘରକୁ ଦୌଡି ପଳାଇ ଯାଇଥିଲେ । ଏହା ପରେ ସମ୍ପର୍କୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ଆଣିବା ସହ ମହିଳାଙ୍କ ପରିବାରକୁ ଖବର ଦେଇଥିଲେ। ମହିଳାଙ୍କର ଶରୀରର ବିଭିନ୍ନ ଅଂଶ ପୋଡ଼ି ଯାଇଥିବା ବେଳେ ବର୍ତ୍ତମାନ ଏମକେସିଜି ମେଡ଼ିକାଲରେ ଚିକିତ୍ସା ଜାରି ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ମହିଳାଙ୍କ ଉପରେ ଘରୋଇ ହିଂସା ବଢୁଥିବା ବେଳେ ଏ ଦିଗରେ ସଚେତନତା ବଢାଇବାକୁ ଦାବି ହୋଇଛି ।
ଇଟିଭି ଭାରତ,ବ୍ରହ୍ମପୁର