ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅଞ୍ଚଳର ଜଣେ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏହି ଘଟଣାରେ ପୋଲିସ ମହିଳାଙ୍କ ପ୍ରେମିକଙ୍କ ସମେତ 4ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ମୃତ ମହିଳା ଜଣଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଛତ୍ରପୁରକୁ ପଠାଯାଇଥିଲା ଏବଂ ପରେ ମୃତଦେହକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।
ରମ୍ଭା ଥାନା ପାଳଙ୍ଗ ପଞ୍ଚାୟତର ନିମଶାଳା ଗ୍ରାମର ୮ ନଂ ୱାର୍ଡରେ ରହୁଥିବା ଜଣେ ୩୦ ବର୍ଷୀୟ ମହିଳାଙ୍କ ଝୁଲନ୍ତା ମୃତଦେହ ପଣସ ଗଛରୁ ଉଦ୍ଧାର ହୋଇଛି । ତେବେ ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଚେଷ୍ଟା କରାଯାଇଥିବା ସନ୍ଦେହ କରାଯାଇ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି । ଅନ୍ୟପଟେ ସ୍ଥାନୀୟ ଅଞ୍ଚଳର ଏହା ଏକ ହତ୍ୟା ବୋଲି ଅନୁମାନ କରୁଛନ୍ତି ବାସିନ୍ଦା ।
ଘଟଣାସ୍ଥଳରେ ରମ୍ଭା ପୋଲିସ, ସାଇଣ୍ଟିଫିକ ଟିମ୍ ପହଞ୍ଚି ଅନୁଧ୍ୟାନ କରିଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଏହି ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ମୃତ ମହିଳାଙ୍କ ପ୍ରେମିକ ସହ 4ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ତଦନ୍ତରେ ବାଧା ସୃଷ୍ଟି ଆଶଙ୍କାରେ ପୋଲିସ ପକ୍ଷରୁ ଅଟକଙ୍କ ନାମ ପ୍ରକାଶ କରାଯାଇନାହିଁ ।
ସୂଚନାନୁଯାୟୀ, ରମ୍ଭା ଥାନା ଅନ୍ତର୍ଗତ ନିମିଶିଳା ଗ୍ରାମର ବିବାହିତ ମହିଳା ରମା ପ୍ରଧାନ ତାଙ୍କର ଗୋଟିଏ ପୁତ୍ର ଏବଂ କନ୍ୟା ଥିବା ସତ୍ତ୍ବେ ଘର ସମ୍ମୁଖରେ ରହୁଥିବା ଏକ ଯୁବକଙ୍କ ସହ ଅନୈତିକ ପ୍ରେମ ସମ୍ପର୍କ ଗଢ଼ି ଥିଲେ । ଯାହାକୁ ନେଇ ମୃତ ମହିଳାଙ୍କ ସ୍ବାମୀ ଓ ଗ୍ରାମବାସୀ ବାରମ୍ବାର ମହିଳା ଏବଂ ତାର ପ୍ରେମିକକୁ ତାଗିତ କରି ଆସୁଥିଲେ । ଏହାର ଏକ ସମାଧାନ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ସଭା ଡକାଯାଇଥିଲେ ମଧ୍ୟ ଉଭୟ ଅନୁପସ୍ଥିତ କାରଣରୁ କୌଣସି ପ୍ରତିକାର ହୋଇପାରିନଥିଲା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ