ବ୍ରହ୍ମପୁର: ସହରର ଚତୁଃପାର୍ଶ୍ବରେ ଥିବା ଛୋଟ ବଡ ଅଞ୍ଚଳ ସହ ଜିଲ୍ଲା ସଦର ମହକୁମା ଛତ୍ରପୁର ଏବଂ ଗୋପାଳପୁର ଏନଏସିକୁ ମିଶାଇ ଗ୍ରେଟର ବ୍ରହ୍ମପୁର ପାଇଁ କରାଯାଇଥିଲା ପରିକଳ୍ପନା । ହେଲେ ସରକାରଙ୍କ ପ୍ରତିଶ୍ରୁତି କେବଳ ଖାତା ଖତିଆନରେ ଲିପିବଦ୍ଧ । ନିର୍ବାଚନ ସରୁଛି , ହେଲେ ଏହି ପ୍ରକଳ୍ପ ଆଗକୁ ବଢୁନି । କେବେ ବାସ୍ତବ ରୂପ ନେବ କଳ୍ପନାର ସିଲ୍କସିଟି ?
ଦକ୍ଷିଣ ଓଡିଶାର ପ୍ରାଣ କେନ୍ଦ୍ର ବ୍ରହ୍ମପୁର । କଳା, ସଂସ୍କୃତି , ଶିକ୍ଷା ଓ ବ୍ୟବସାୟର ଭଣ୍ଡାର ଏହି ସହର । 2008ରେ ବ୍ରହ୍ମପୁର ମହାନଗର ନିଗମ ଗଠନ ହୋଇଥିଲା । ଏହା ରାଜ୍ୟର ସର୍ବପୁରାତନ ପୌର ପରିଷଦ । ଏଇଥିପାଇଁ ତ, ଏହାକୁ ଆହୁରି ବୃହତ୍ତ ଓ ବିକଶିତ କରିବାକୁ ସରକାର ଘୋଷଣା କରିଥିଲେ ଗ୍ରେଟର ବ୍ରହ୍ମପୁର । ହେଲେ ସେ ସବୁ ସହରୀକରଣ ସ୍ବପ୍ନ କେବଳ ପ୍ରସ୍ତାବରେ ଅଟକି ଯାଇଛି । ପ୍ଲାନ ସବୁ ଫମ୍ପା ପାଲଟିଯାଇଛି । ଏ ନେଇ ନବନିର୍ବାଚିତ ସାଂସଦଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ପ୍ରସ୍ତାବ ତ ଆସୁଛି ଯାଉଛି ତେବେ ନିଷ୍ପତ୍ତି ନିଆଯିବ ।
ଏପଟେ ବ୍ରହ୍ମପୁରରେ ମିଶିବାକୁ ଆଖପାଖ ବହୁ ଅଞ୍ଚଳର ଲୋକ ଆନ୍ଦୋଳନ ମଧ୍ୟ କରୁଛନ୍ତି । କାରଣ ସେମାନେ ବ୍ରହ୍ମପୁର ସହ ମିଶିବା ଦ୍ବାରା ସହରରେ ଥିବା ଶିକ୍ଷା, ସ୍ବାସ୍ଥ୍ୟ , ପାନୀୟ ଆଦି ବିଭିନ୍ନ ମୌଳିକ ସୁବିଧାର ଲାଭ ଉଠାଇପାରିବେ। ହେଲେ ପ୍ରକଳ୍ପ ଯେଉଁଠି ଥିଲା ସେଇଠି ରହିଛି । ଏପଟେ ଏହାକୁ ଏକ ମିଛ ପ୍ରହରିକା ବୋଲି କହୁଛନ୍ତି ବିରୋଧୀ ।
ଯଦି ଏହି ବୃହତ୍ତ ବ୍ରହ୍ମପୁର ପ୍ରକଳ୍ପ ପ୍ରକୃତରେ କାର୍ଯ୍ୟକାରୀ ହୁଏ, ତେବେ ଏହା ରାଜ୍ୟର ପୁରାତନ ସହ ପ୍ରଥମ ସର୍ବବୃହତ୍ତ ନିଗମ ମାନ୍ୟତା ପାଇବ । ଏହା ବ୍ୟତିତ ଜିଲ୍ଲାର ପ୍ରମୁଖ ସହରର ପାରିପାଶ୍ବକ ବିକାଶ ହୋଇପାରିବ ବୋଲି କୁହାଯାଇଛି ।
ବ୍ରହ୍ମପୁରର ସମୀର ଆଚାର୍ଯ୍ୟ, ଇଟିଭି ଭାରତ