ବ୍ରହ୍ମପୁର: ଜିଲ୍ଲାରେ ଆସନ୍ତା ୧୦ ଦିନ ପାଇଁ ସାଧାରଣ ଜନତାଙ୍କ ନିମନ୍ତେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ଟ୍ବିଟ୍ ଯୋଗେ ଏଭଳି ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କୋରୋନାର ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଏହାସହ ଆଗଧାଡିରେ କାର୍ଯ୍ୟ କରୁଥିବା କୋରୋନା ୱାରିଅର ଭାବରେ ରହିଥିବା ପ୍ରମୁଖ ସରକାରୀ ଅଧିକାରୀମାନେ ପଜେଟିଭ ହେବା ପରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ପ୍ରତ୍ୟେକ ଦିନ ଜିଲ୍ଲାରେ କୋରୋନା ମୁକାବିଲା ନେଇ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ପରେ ସରକାରୀ ଅଧିକାରୀ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ସମେତ ବହୁ କର୍ମଚାରୀ ଆକ୍ରାନ୍ତ ହେଉଛନ୍ତି । ଯାହା ଜିଲ୍ଲା ପ୍ରଶାସନକୁ ଚିନ୍ତାରେ ପକାଇଛି ।
![ଗଞ୍ଜାମରେ ଚିନ୍ତା ବଢାଉଛି କୋରୋନା](https://etvbharatimages.akamaized.net/etvbharat/prod-images/od-bam-government-offices-closed-for-citizens-for-next-10days-7205524_24062020091920_2406f_1592970560_915.jpg)
କେବଳ ଗଞ୍ଜାମରେ ମଙ୍ଗଳବାର ରାତିରେ ୭୬ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ଏହି ସଂଖ୍ୟା ୧୦୩୧ ପହଞ୍ଚିଛି । ଏଥିରେ ୬୮୦ ଜଣ ସୁସ୍ଥ ହୋଇଥିବାବେଳେ ୩୪୩ ଜଣ ଆକ୍ରାନ୍ତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି ।
![ଗଞ୍ଜାମରେ ଆସନ୍ତା ୧୦ ଦିନ ସାଧାରଣ ଜନତାଙ୍କ ପାଇଁ ବନ୍ଦ ରହିବ ସମସ୍ତ କାର୍ଯ୍ୟାଳୟ](https://etvbharatimages.akamaized.net/etvbharat/prod-images/od-bam-government-offices-closed-for-citizens-for-next-10days-7205524_24062020091920_2406f_1592970560_105.jpg)
ଏପରିକି କେବଳ ମଙ୍ଗଳବାର ୧୪ ଜଣ କୋରୋନା ୱାରିଅର ଭାବରେ ସରକାରୀ କର୍ମଚାରୀ ଆକ୍ରାନ୍ତ ହୋଇଥିବା ବେଳେ ସେଥିରୁ ବ୍ରହ୍ମପୁର ମହାନଗର ନିଗମରୁ ୬ ଜଣ, ବେଲଗୁଣ୍ଠା, ଖଲ୍ଲିକୋଟ, ପୋଲସରା ଓ ସୋରଡାରେ ଜଣେ ଲେଖାଏଁ ଏବଂ କୁକୁଡାଖଣ୍ଡିରେ 4 ଜଣ ସରକାରୀ ଅଧିକାରୀ ଆକ୍ରାନ୍ତ ହୋଇଛନ୍ତି ।
ଅନ୍ୟପଟେ ସାଉଦି ଆରବ, ଦିଲ୍ଲୀ, ସୁରଟ ଏବଂ ମୁମ୍ୱାଇ ଭଳି ବିଭିନ୍ନ ସ୍ଥାନରୁ ଫେରିଥିବା 6 ଜଣଙ୍କ ଠାରେ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେହିପରି ମୋଟ ୫୬ ଜଣ ଜିଲ୍ଲାର ସ୍ଥାନୀୟ ବାସିନ୍ଦା ସଂକ୍ରମିତ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଯାହାକୁ ନେଇ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ