ବ୍ରହ୍ମପୁର: ଆସନ୍ତା ଡିସେମ୍ବର 24ରୁ 28 ତାରିଖ ପର୍ଯ୍ୟନ୍ତ ଗୋପାଳପୁରରେ ଆୟୋଜିତ ହେବ ବେଳାଭୂମି ମହୋତ୍ସବ। ଏନେଇ ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଗୋପାଳପୁର ବିଧାୟକଙ୍କ ଅଧ୍ୟକ୍ଷତାରେ ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଭବନ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।
5 ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଏହି ବେଳାଭୂମି ମହୋତ୍ସବରେ ସ୍ଥାନୀୟ କଳାକାରଙ୍କ ଲୋକକଳା ଓ ସଙ୍ଗୀତକୁ ପ୍ରୋତ୍ସାହନ ଦିଆଯିବ ବୋଲି କୁହାଯାଇଛି । ଏହାସହ ଏଠାରେ ଶାସ୍ତ୍ରୀୟ, ଆଧୁନିକ ନୃତ୍ୟ ଓ ସଙ୍ଗୀତ ପରିବେଷଣ ପାଇଁ ବ୍ୟବସ୍ଥା କରାଯିବ। ଏପରିକି ପ୍ରତ୍ୟେକ ଦିନ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଓଲିଉଡ୍ ଓ ବଲିଉଡ୍ କଳାକାର ମଞ୍ଚରେ ପରିବେଷଣ କରିବେ ସେମାନଙ୍କ ମେଗା ସୋ କାର୍ଯ୍ୟକ୍ରମ। ବଲିଉଡର ସୁନାମଧନ୍ୟ କଣ୍ଠଶିଳ୍ପୀ ସୋନୁ ନିଗମ୍ ଉଦଘାଟନ ଉତ୍ସବରେ ଯୋଗ ଦେବାକୁ ଥିବାବେଳେ ଦ୍ବିତୀୟ ଦିନରେ ହାସ୍ୟ ଅଭିନେତା ସଙ୍କିତ୍ ଭୋସଲେ ଓ ଉଦଯାପନୀ ସନ୍ଧ୍ୟାରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ସାନ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଚଳିତଥର ପଲ୍ଲୀଶ୍ରୀ ମେଳା, ପୁସ୍ତକ ମେଳା, ଖାଦ୍ୟ ମେଳା ଏବଂ ବିଭିନ୍ନ କ୍ରୀଡାର ବ୍ୟବସ୍ଥା କରାଯିବା ସହ ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା କୁହାଯାଇଛି। ମଙ୍ଗଳବାର ବସିଥିବା ବୈଠକରେ ଗୋପାଳପୁର ବେଳାଭୂମି ମହୋତ୍ସବ -2019 ପାଇଁ ପୋଷ୍ଟର ଲୋଗୋକୁ ଉନ୍ମୋଚନ କରାଯାଇଛି।
ସେହିପରି ମହୋତ୍ସବ ସମୟରେ ଭିଡକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ସମେତ ବିଭିନ୍ନ କାର୍ଯ୍ୟକ୍ରମକୁ କିଭଳି ସଠିକ୍ ଭାବରେ ପରିଚାଳନା କରାଯିବ ସେ ନେଇ ଗୁରୁତ୍ବ ଦିଆଯାଇଛି।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ