ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଦୁଇଟି ସୁନା ଦୋକାନରୁ ହୋଇଥିବା ସିନ୍ଧି ଚୋରୀ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୧୨ ଲକ୍ଷ ସାତ ହଜାର ଟଙ୍କା , ୧୬୮.୬ ଗ୍ରାମର ସୁନା ,ଏକ ଦାମୀ କାର ସମେତ ଲୁହା ଗ୍ରୀଲ କାଟିବା ମେସିନକୁ ମଧ୍ୟ ଜବତ କରିଛି ପୋଲିସ । ବ୍ରହ୍ମପୁର ସହରର ବଡବଜାର ଅଞ୍ଚଳରେ ଗତ ଅକ୍ଟୋବର ୩୦ ଓ ଡିସେମ୍ବର ୧୭ରେ ଦୁଇଟି ସୁନା ଦୋକାନରୁ ଚୋରି ହୋଇଥିଲା । ଗିରଫ ଅଭିଯୁକ୍ତମାନେ ଛତିଶଗଡ଼ର ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ବ୍ରହ୍ମପୁର ବଡବଜାର ଥାନା ଅଧିକାରୀଙ୍କ ନେତୃତ୍ବରେ ଏହି ଦୁଇ ଅଭିଯୁକ୍ତଙ୍କୁ ଛତିଶଗଡ଼ର କୋବିରଧାମ ଅଞ୍ଚଳରୁ ଗିରଫ କରାଯାଇଥିଲା । ପରେ କୋବିରଧାମ ଜିଲ୍ଲାର କାଓ୍ବାର୍ଦ୍ଧ ସିଜେଏମ କୋର୍ଟରେ ହାଜର କରାଯିବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ପୋଲିସ ଆଣିଥିଲା । ପରେ ପୁଣି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ବ୍ରହ୍ମପୁର ଏସପିଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବ୍ରହ୍ମପୁର ପୋଲିସର ଦୁଇଟି ସ୍ବତନ୍ତ୍ର ଟିମ୍ ବାହାର ରାଜ୍ୟ ବାହାରେ ସୁନା ଚୋରି ଘଟଣାର ଛାନଭିନ ଜାରି ରଖିଛନ୍ତି ।
ଗିରଫ ଦୁଇ ଅଭିଯୁକ୍ତ ଗତ ମାର୍ଚ୍ଚ ମାସରେ ଦୁର୍ଗ ଜେଲ ପରିସରରେ ସାକ୍ଷାତ ହୋଇଥିଲେ । ଅଭିଯୁକ୍ତ ଲୋକେଶ ରାଓଙ୍କ ଜଣେ ସଂପର୍କୀୟ ବ୍ରହ୍ମପୁରରେ ରହୁଥିବାବେଳେ ସେହି ଲିଙ୍କକୁ ନେଇ ଦୁଇ ଅଭିଯୁକ୍ତ ଏଭଳି ସିନ୍ଧି ଚୋରି କରିବାକୁ ଯୋଜନା କରିଥିବା ଜଣାପଡିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ