ବ୍ରହ୍ମପୁର: କୋଭିଡ-୧୯ ମୁକାବିଲା ସମୟରେ ଗଞ୍ଜାମ ଜିଲ୍ଲାରେ ଯାଇଛି ଅନେକ କୋଭିଡ ଯୋଦ୍ଧାଙ୍କ ଜୀବନ । ଏହାରି ମଧ୍ୟରେ ଲୋକଙ୍କୁ ସୁରକ୍ଷା ଯୋଗାଇ ଆସୁଥିବା ପୋଲିସ କର୍ମଚାରୀଙ୍କ ମଧ୍ୟରୁ 3ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏହି ପୋଲିସ କର୍ମଚାରୀଙ୍କ ପରିବାରକୁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ସରକାରଙ୍କ ପକ୍ଷରକୁ ତାଙ୍କ ଚାକିରୀ ଜୀବନରେ ପାଇବାକୁ ଥିବା ସମସ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
ମୃତକ କୋଭିଡ ଯୋଦ୍ଧାଙ୍କ ପରିବାରବର୍ଗ ଏନେଇ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ ସମସ୍ତ ପ୍ରକାର ସହାୟତାରାଶି ପ୍ରଦାନ କରିଛନ୍ତି । ଏହାସହ ଜୀବନ ହାରିଥିବା ପୋଲିସ କର୍ମଚାରୀଙ୍କ ଅବସର ହେବା ସମୟ ୬୦ ବର୍ଷ ପର୍ଯ୍ୟନ୍ତ ତାଙ୍କ ପରିବାରଙ୍କୁ ଫ୍ୟାମିଲି ପେନସନ ଭାବରେ ମିଳୁଥିବା ପୁରା ଦରମାକୁ ପ୍ରଦାନ କରାଯିବ ବୋଲି କୁହାଯାଇଛି।
ଇତିମଧ୍ୟରେ ଜିଲ୍ଲାର ଆସିକା ଥାନା ଅନ୍ତର୍ଗତ କୋଟିନଡା ଫାଣ୍ଡିରେ କାର୍ଯ୍ୟରତ ଥିବା ଗୋଲକ ନାୟକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ମାଧୁରୀ ନାୟକଙ୍କୁ ତାଙ୍କ ସ୍ବର୍ଗତ ସ୍ବାମୀଙ୍କ ଗ୍ରାଚୁଇଟି ବାବଦକୁ ୧୫ ଲକ୍ଷ ଟଙ୍କା ସହିତ ୟୁ.ଏଲ.ଏସ ବାବଦକୁ ପାଞ୍ଚ ଲକ୍ଷ ୭୬୦ ଟଙ୍କା ଏବଂ ଜି.ଆଇ.ସି ବାବଦକୁ ୧ ଲକ୍ଷ ୬୨ ହଜାର ପାଞ୍ଚ ଶହ ଟଙ୍କା ପ୍ରଦାନ କରାଯାଇଛି ।
ସେହିପରି ଭଞ୍ଜନଗରର କୋର୍ଟରେ କାର୍ଯ୍ୟରତ ଥିବା ପୋଲିସ ଏ.ଏସ.ଆଇ ରବିନ୍ଦ୍ର ନାଥ ବେହେରାଙ୍କ କୋଭିଡ-୧୯ ରେ ମୃତ୍ୟୁ ପରେ ତାଙ୍କ ପତ୍ନୀ ଗ୍ରାଚୁଇଟି ବାବଦକୁ ୧୫ ଲକ୍ଷ ଟଙ୍କା ସମେତ ୟୁ.ଏଲ.ଏସ ବାବଦକୁ ୫ ଲକ୍ଷ ୭୩ ହଜାର ତିନି ଶହ ଟଙ୍କା ଏବଂ ଜି.ଆଇ.ଏସ ବାବଦକୁ ଲକ୍ଷେ ୬୨ ହଜାର ପାଞ୍ଚ ଶହ ଟଙ୍କାର ସହାୟତା ରାଶି ସହିତ ମୃତ ପୋଲିସ କର୍ମଚାରୀ ଶିବରାମ ଦାଶଙ୍କ ପତ୍ନୀ ସୁଜତା ଦାଶଙ୍କୁ ମଧ୍ୟ ୟୁ.ଏଲ୍.ଏସ୍ ବାବାଦକୁ ୫ ଲକ୍ଷ ୨୫ ହଜାର ୩୩୦ ଟଙ୍କା ସହିତ ଗ୍ରାଚୁଇଟି ବାବଦକୁ ୧୫ ଲକ୍ଷ ଟଙ୍କା ଏବଂ ଜି.ଆଇ.ଏସ ବାବଦକୁ ଲକ୍ଷେ ୬୨ ହଜାର ପାଞ୍ଚ ଶହ ଟଙ୍କା ପ୍ରଦାନ କରାଯାଇଛି ।
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ପୋଲିସ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହିବା ସହ କୋରୋନା ମୁକାବିଲା କ୍ଷେତ୍ରରେ ସ୍ବର୍ଗତ କୋଭିଡ ଯୋଦ୍ଧାଙ୍କ ଭୂମିକାକୁ ନେଇ ପ୍ରଶଂସା କରିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ