ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ରହୁଥିବା ପ୍ରତ୍ୟେକ ପରିବାରର ସଦସ୍ୟଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସେମାନେ ଏଣେ ତେଣେ ଅଯଥାରେ ବୁଲି ସଂକ୍ରମିତ ହୁଅନ୍ତୁ ନାହିଁ ଏବଂ ନିଜ ପରିବାରର ଅନ୍ୟ ସଦସ୍ୟଙ୍କୁ ସଂକ୍ରମିତ କରନ୍ତୁ ନାହିଁ । ବିନା କାରଣରେ ନିୟମ ଉଂଲ୍ଲଙ୍ଘନ କରି ବିପଦକୁ ଟାଣି ଆଣନ୍ତୁ ନାହିଁ ବୋଲି ଜିଲ୍ଲାବାସୀଙ୍କୁ ଅଧିକ ସତର୍କ ରହିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ।

ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାସ୍ତରୀୟ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଶିଶୁ ବିକାଶ ଯୋଜନା ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ, ଚିକିତ୍ସା ଅଧିକାରୀ ଓ ସ୍ବାସ୍ଥ୍ୟ ଅଧିକାରୀମାନଙ୍କ ସହିତ କୋଭିଡ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ।
ଏପରିକି ଗ୍ରୀନ ଜୋନରେ ରହିଥିବା ଗ୍ରାମ ପଞ୍ଚାୟତ ଅଞ୍ଚଳର ବ୍ୟକ୍ତିବିଶେଷ ନିଜ ଅଞ୍ଚଳ ଛାଡି ବାହାରକୁ ଯିବାକୁ ବାରଣ କରାଯାଇଛି, ସେମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମସ୍ତ ସାମଗ୍ରୀ ସ୍ବୟଂ ସହାୟକଗୋଷ୍ଠୀ ମାନଙ୍କ ଜରିଆରେ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରେଡ ଜୋନ ଘୋଷିତ ଅଞ୍ଚଳର ସଂକ୍ରମିତ ବ୍ୟକ୍ତିଙ୍କ ଆକ୍ଟିଭ୍ କଣ୍ଟାକ୍ଟ ଟ୍ରାକିଂ କରି ଯାହାର କୋରୋନା ଲକ୍ଷଣ ରହୁଛି ସେହି ଲୋକମାନଙ୍କ ସ୍ବାବ ସଂଗ୍ରହ କରି ପରୀକ୍ଷା କରିବାକୁ ଏବଂ ସେହି ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରଖିବାକୁ କୁହାଯାଇଛି । ଯେଉଁମାନେ ନିୟମ ଉଂଲ୍ଲଙ୍ଘନ କରନ୍ତି, ତେବେ ସେମାନଙ୍କ ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଯେଉଁ ଅଞ୍ଚଳରେ ରେଡଜୋନ, ଗ୍ରୀନ ଜୋନ କିମ୍ବା ୟେଲୋ ଜୋନ ଲାଗୁ କରାଯାଇଛି ସେସମ୍ପର୍କରେ ସ୍ଥାନୀୟ ବାସିନ୍ଦାଙ୍କୁ ଅବଗତ କରାନ୍ତୁ ତେବେ ଯାଇ ସେହି ଅନୁସାରେ ଜନସାଧାରଣ ସତର୍କତା ଅବଲମ୍ବନ କରିବେ ଏବଂ ସତର୍କ ରହିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ