ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଚୋରା ବାଲିମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ଅଧିକ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ବେଆଇନ ଚୋରାଚାଲାଣ ବେଳେ ବାଲି ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ପ୍ରଶାସନିକ ଅଧିକାରୀ । ଗଞ୍ଜାମ ତହସିଲ ପକ୍ଷରୁ ଚଢାଉ କରାଯିବା ପରେ ମାଫିଆମାନେ ଅତିରିକ୍ତ ତହସିଲଦାର ସମେତ 3 ରାଜସ୍ବ ନିରୀକ୍ଷକଙ୍କୁ ଆକ୍ରମଣ କରିବା ପରେ ସେମାନେ ଆହତ ହୋଇଥିବା ସୂଚନା ମିଳିଛି ।
ଗଞ୍ଜାମ ତହସିଲ ମାଳିଜଗନ୍ନାଥପୁର ଗ୍ରାମ ନିକଟ ଋଷିକୂଲ୍ୟା ନଦୀରୁ ବେଆଇନ ବାଲି ଚୋରା ଚାଲାଣ ଚାଲିଥିବା ବେଳେ ଗଞ୍ଜାମ ତହସିଲ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ସମୟରେ ଅତିରିକ୍ତ ତହସିଲଦାର ଓ ତିନି ଜଣ RIଙ୍କୁ ବାଲି ମାଫିଆ ମାନେ ଆକ୍ରମଣ କରିଛନ୍ତି । ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା, ରାଜସ୍ବ ନିରୀକ୍ଷକ ଭାସ୍କର ସାହୁ, ସୀତାରାମ ସାହୁ ଓ ସୁଶାନ୍ତ କୁମାର ବେହେରା ଆକ୍ରମଣର ଶିକାର ହୋଇଛନ୍ତି । ଘଟଣା ପରେ ଗଞ୍ଜାମ ପୋଲିସ ଏନେଇ ଅଧିକ ତଦନ୍ତ କରୁଛି ।
ମାଳିଜଗନ୍ନାଥପୁର ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ନଦୀ ନିକଟରେ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବାର ଖବର ପାଇ ଏଭଳି ଚଢ଼ାଉ କରିବା ସମୟରେ ୪ ଜଣ ମାଫିଆ ହଠାତ୍ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଏପରିକି ପିସ୍ତଲ ଦେଖାଇ ଭୟଭୀତ କରିବା ସହ ମୁଦି, ସୁନା ଚେନ୍, ମୋବାଇଲ ଫୋନ, ପର୍ସ ଛଡାଇ ନେଇଥିବା ଅଭିଯୋଗ ହୋଇଛି । ଜୀବନ ବଞ୍ଚାଇବାକୁ ଯାଇ ଭୟରେ ସେଠାରୁ ଅଧିକାରୀ ମାନେ ପଳାଇ ଆସିଥିଲେ। ତେବେ ଘଟଣା ସମ୍ପର୍କରେ ତୁରନ୍ତ ତହସିଲଦାର ଓ ପୋଲିସକୁ ଅବଗତ କରାଇଥିଲେ । ଖବର ପାଇ ଛତ୍ରପୁର SDPO ଗୌତମ କିଷାନ, ଗଞ୍ଜାମ ଥାନା ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି ।
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ