ବ୍ରହ୍ମପୁର: ବେଆଇନ କରତ କଳ ଉପରେ ଚଢ଼ାଉ । ସୋମବାର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏ. ବରିଡା ଗାଁ ନିକଟରେ ସ୍ଥିତ କରତ କଳ ଉପରେ ଚଢାଉ କରିଛି ପୋଲସରା ବନ ବିଭାଗ । ଘଟଣାସ୍ଥଳରୁ ଲକ୍ଷାଧିକ ମୂଲ୍ୟର ମୂଲ୍ୟବାନ କାଠ ସହ ନିର୍ମାଣ ହୋଇଥିବା ଆସବାବପତ୍ର ଓ କରତ କଳର ଯନ୍ତ୍ରାଂଶ ଜବତ ହୋଇଛି । ଏହି ଚଢାଉରେ ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନରେ ରହିଥିବା ଆସିକା, ବୁଗୁଡ଼ା ଓ ସୋରଡ଼ା ବନାଞ୍ଚଳର କର୍ମଚାରୀମାନେ ସାମିଲ ହୋଇଥିଲେ ।
ଏ. ବରିଡା ଅଞ୍ଚଳରେ ଏହି କରତ କଳଟି ବେଆଇନ ଭାବେ ଚାଲୁଥିଲା । ଏଠାରୁ କାଠ ଚୋରା ଚାଲାଣ ହେଉଥିବାର ଅଭିଯୋଗ ହୋଇଥିଲା । ଏହି ଘଟଣା ଜଣାପଡିବା ପରେ ପୋଲସରା ବନାଞ୍ଚଳ କରତ କଳ ଉପରେ ଚଢାଉ କରିଛି । କବିସୂର୍ଯ୍ୟନଗର ଥାନା ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମିଳିତ ଚଢାଉ ହୋଇଛି । ଚଢାଉ ସମୟରେ ଘଟଣାସ୍ଥଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ବେଆଇନ କରତକଳ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା କୁହାଯାଇଛି ।
ଇଟିଭି ଭାରତ, ବ୍ରହ୍ମପୁର