ବ୍ରହ୍ମପୁର: ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହେଲେ ମୃତକଙ୍କ ପରିବାର । ଗଞ୍ଜାମ କେ. ନୂଆ ଗାଁ ଥାନା ଅଧୀନରେ ରହିଥିବ ଦେଖାଳି ଗାଁର ପ୍ରମୋଦିନୀ ନାୟକଙ୍କୁ ଜଘନ୍ୟ ଭାବେ ହତ୍ୟା କରାଯାଇଥିଲା । ଆଉ ଯାହାର ମୃତଦେହ ନଦୀତଟରେ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଘଟଣାକୁ ଇତିମଧ୍ୟରେ ୧୪୫ ଦିନ ବିତି ଯାଇଥିଲେ ତଦନ୍ତରେ ଅଗ୍ରଗତି ଆଶା କ୍ଷୀଣଥିବାରୁ ନ୍ୟାୟ ପାଇଁ ଶେଷରେ ପରିବାର ବର୍ଗ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ନ୍ୟାୟ ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି । ପୂର୍ବରୁ ଏନେଇ ପରିବାର ବର୍ଗ ଦକ୍ଷିଣାଞ୍ଚଳ ଡିଆଇଜିଙ୍କୁ ସାକ୍ଷାତ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରତିଶୃତି ଦେବା ପରେ ମଧ୍ୟ କେ ନୂଆଗାଁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରି ନାହିଁ । ଯାହାକୁ ନେଇ ମୃତକଙ୍କ ପରିବାର ସଦସ୍ୟ ସମତେ ବିଜେପି ନେତା ଶ୍ରୀକାନ୍ତ ପାଢ଼ୀ ଏସପିଙ୍କୁ ପଞ୍ଚମ ଥର ପାଇଁ ସାକ୍ଷାତ କରିଛନ୍ତି ।
ସେପଟେ ତଦନ୍ତ ପକ୍ରିୟା ଚାଲିଛି ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ରମା ନାୟକ ଓ ଲଡ଼ୁ ନାୟକଙ୍କ ଝିଅ ପ୍ରମୋଦିନୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ଝିଅ ଆସିବାର ବିଳମ୍ବ ଦେଖି ମାଆ ନଦୀପଠାରେ ଝିଅର ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ । ପରେ ରମା ନାୟକ କେ ନୂଆଗାଁ ଥାନାରେ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ପୋଲିସ ପ୍ରାଥମିକ ତଦନ୍ତ ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ଏପରିକି ଏନେଇ ଜାତୀୟ ମାନବାଧିକାର ଆୟୋଗଙ୍କ ପାଖରେ ଏକ ମାମଲା ଦାୟର କରାଯାଇଛି । ଏଥିପ୍ରତି ଦୃଷ୍ଟି ଦିଆନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ପରିବାର ବର୍ଗ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ