ବ୍ରହ୍ମପୁର: ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ପରିବାର ମଧ୍ୟରେ ହେଲା ହଣାକଟା । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ସବ୍ ରେଜିଷ୍ଟାର କାର୍ଯ୍ୟାଳୟ ସମ୍ମୁଖରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୈତୃକ ସମ୍ପତ୍ତି ଭାଗକୁ ନେଇ ରକ୍ତରଞ୍ଜିତ ପାଲଟିଥିଲା ଘର । ଏହି ଘଟଣାରେ ଗୁରୁତର ମାନେ ହେଲେ ପାଟପୁର ଥାନା ପୋଡାମାରୀ ବଡ଼ବଜାର ସାହିର ପୂର୍ବତନ ସରପଞ୍ଚ ୬୪ ବର୍ଷୀୟ ବି . ନାରାୟଣ ରାଓ, ସାନଖେମୁଣ୍ଡି ପୂର୍ବତନ ଉପାଧ୍ୟକ୍ଷା ୫୮ ବର୍ଷୀୟ ବି . ଜ୍ୟୋତି , ୬୫ ବର୍ଷୀୟ ଏମ୍ . ସାରଦା ବୋଲି ପ୍ରାଥମିକ ତଦନ୍ତରୁ ଖବର ମିଳିପାରିଛି ।
ସୂଚନାନୁଯାୟୀ ସାନଖେମୁଣ୍ଡି ବ୍ଲକ ପୋଡାମାରୀ ଗ୍ରାମର ସ୍ୱର୍ଗୀୟ ଜି . ମାକର୍ଣ୍ଡଙ୍କ ଦୁଇଝିଅ ସାରଦା ଓ ଜ୍ୟୋତି ରହିଥିବା ବେଳେ ନାରାୟଣ ହେଉଛନ୍ତି ଜ୍ୟୋତିଙ୍କ ସ୍ୱାମୀ ଏବଂ ଘରର ଜ୍ୱାଇଁ । ଯେହେତୁ ସ୍ୱର୍ଗତ ମାର୍କଣ୍ଡଙ୍କ ପିତାଙ୍କ ୭ ଭରଣ ଜମି ରହିଥିବା ବେଳେ ମାର୍କଣ୍ଡଙ୍କ ସାନଭାଇ ଜି . ଲଚ୍ଛମନ ରାଓ ଙ୍କ ଦୁଇପୁଅ ଜି . ଶଙ୍କର ରାଓ ଓ ଜି . ମୋହନ ରାଓ ଉକ୍ତ ସମ୍ପତ୍ତି ପାଇବା ପାଇଁ ପୂର୍ବରୁ ଦୁଇ ଭଉଣୀ ସହ ପାଟିତୁଣ୍ଡ କରିଥିଲେ । ଯାହାଫଳରେ ସେମାନେ ଜମି ରେଜିଷ୍ଟ୍ରେସନ ପରେ କଥା ହେବା ପାଇଁ ସାରଦା କହିଥିଲେ ।
ଏନେଇ ସୋମବାର ମାର୍କଣ୍ଡଙ୍କ ଦୁଇଝିଅ ଏବଂ ଜ୍ୱାଇଁ ଜମି କିଣାବିକା ପାଇଁ ଦିଗପହଣ୍ଡି ସବ୍-ରେଜିଷ୍ଟ୍ରାର ଅଫିସ କାର୍ଯ୍ୟାଳୟ କୁ ଆସିଥିଲେ । ତେବେ କାର୍ଯ୍ୟାଳୟ ଅଧିକାରୀଙ୍କ ଉପସ୍ଥିତିରେ ଜମି ରେଜିଷ୍ଟ୍ରେସନ ଚାଲିଥିବା ବେଳେ ହଠାତ ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ସାରଦଙ୍କ ଦାଦାପୁଅ ଦୁଇଭାଇ ଶଙ୍କର ଓ ମୋହନ ଅଫିସ କାର୍ଯ୍ୟାଳୟ ଭିତରେ ଧସେଇ ପଶି ଧାରୁଆ ଅସ୍ତ୍ର ସାହାଯ୍ୟରେ ଜ୍ୱାଇଁ ନାରାୟଣ ସମେତ ସ୍ତ୍ରୀ ଜ୍ୟୋତି ଏବଂ ଦେଢଶାଶୁ ସାରଦାଙ୍କୁ ସମସ୍ତଙ୍କ ସମ୍ମୁଖରେ ମାରଣାତ୍ମକ ଆକ୍ରମଣ କରିବା ପରେ ଏକ ବାଇକ ଯୋଗେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।
ଏହାପରେ କିଛି ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ । ଘଟଣାସ୍ଥଳରେ ଦିଗପହଣ୍ଡି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି । ତେବେ କିଛି ସମୟ ପାଇଁ ଅଫିସ କାର୍ଯ୍ୟାଳୟ କର୍ମଚାରୀ ମାନେ ସ୍ତବ୍ଧ ପାଲଟି ଯାଇଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ