ବ୍ରହ୍ମପୁର: ସାଧାରଣ ନିର୍ବାଚନକୁ ସୂଚାରୁ ଓ ଶୃଙ୍ଖଳିତ ରୂପେ ପରିଚାଳନା କରିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାରେ ମୋଟ 2ଟି ଲୋକସଭା ଏବଂ ୧୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି କରାଯାଇଛି । ସେପଟେ ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ ମୋଟ 28 ହଜାର କର୍ମଚାରୀଙ୍କ ପାଇଁ 2ୟ ପର୍ଯ୍ୟାୟ ତାଲିମ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଜିଲ୍ଲାରେ ମୋଟ 48846 ଦିବ୍ୟାଙ୍ଗ ଭୋଟରଙ୍କ ନାମ ପଞ୍ଜୀକରଣ କରାଯାଇଛି । ଏମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ 1053ଟି ସ୍ୱତନ୍ତ୍ର ଗାଡିର ବ୍ୟବସ୍ଥା କରାଯାଇଛି ।
ସୂଚନାଯୋଗ୍ୟ ଦିବ୍ୟାଙ୍ଗ ଭୋଟରଙ୍କୁ ଗାଡି ସାହାଯ୍ୟରେସେମାନଙ୍କ ଘରୁ ପୋଲିଂ ବୁଥ ପର୍ଯ୍ୟନ୍ତ ନିଆଯିବ। ଯାହାକୁ ସଂଯୋଜକମାନେ ଅନୁଧ୍ୟାନ କରିବେ । ଏଥି ସହ ଜିଲ୍ଲାର ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ଅର୍ଥାତ୍ ମୋଟ 13ଟି ପିଙ୍କ୍ ବୁଥ ରହିବ । ଯାହାକୁ ମହିଳା ପୋଲିଂ ଅଧିକାରୀମାନେ ପରିଚାଳନା କରିବେ । ଏହାସହିତ 11ଟି ମଡେଲ ବୁଥର ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ଭୋଟରଙ୍କୁ ସ୍ୱତନ୍ତ୍ର ଭାବେ ସ୍ୱାଗତ କରାଯିବାର ବ୍ୟବସ୍ଥା ରହିବ। ଭୋଟର ଏବଂ ନିର୍ବାଚନୀକୁ ଦୃଷ୍ଟିରେ ରଖି 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ସହିତ 1950 ନମ୍ବର ଡାଏଲ କରି ଭୋଟରମାନେ ସାହାଯ୍ୟ ନେବା ସହ ଅଭିଯୋଗ ମଧ୍ୟ କରିପାରିବେ। ଏତଦବ୍ୟତୀତ ପ୍ରତ୍ୟେକ ବୁଥରେ ରାମ୍ପ, ପାଇଖାନା, ପିଇବା ପାଣି, ବିଜୁଳି ଭଳି ସର୍ବନିମ୍ନ ବ୍ୟବସ୍ଥା କରାଯାଇଛି। ଏପରିକି ଗ୍ରୀଷ୍ମ ପ୍ରଭାବ ଓ ଅଂଶୁଘାତ ଭଳି ଘଟଣାକୁ ଦୃଷ୍ଟିରେ ରଖି ବୁଥ ଗୁଡିକରେ ମଧ୍ୟ ପ୍ରାକ୍ ପ୍ରସ୍ତୁତି କରାଯିବ । ବୁଥରେ ଆବଶ୍ୟକ ଔଷଧ, ଓଆରଏସ ପ୍ୟାକେଟ ରଖାଯିବା ସହ ଡାକ୍ତରୀ ଦଳ ମଧ୍ୟ ଉପସ୍ଥିତ ରହିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି ।
ଚଳିତ ନିର୍ବାଚନରେ ଜିଲ୍ଲାର ଖର୍ଚ୍ଚ ଅନୁଧ୍ୟାନ କରିବାକୁ 5 ଜଣିଆ ଏକ୍ସପେଣ୍ଡିଚର ଅବଜର୍ଭର ପହଞ୍ଚି ସାରିଥିବା ବେଳେ ଜିଲ୍ଲାର 13ଟି ନିର୍ବାଚନ ମଣ୍ଡଳୀ ପାଇଁ 13ଟି ଆସିଷ୍ଟାଣ୍ଟ ଏକ୍ସପେଣ୍ଡିଚର ଅବଜର୍ଭର, 13 ଟି ଆକାଉଣ୍ଟିଂ ଟିମ, 39ଟି ଫ୍ଲାଇଂ ସ୍କ୍ବାର୍ଡ ଟିମ, 39ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ, 39ଟି ଭିଡିଓ ସର୍ଭେଲାନ୍ସ ଟିମ୍ ଓ ୧୩ ଟି ଭିଡିଓ ଭିୟୁଇଙ୍ଗ୍ ଟିମ୍ ନିୟୋଜିତ ହୋଇଛନ୍ତି । ଶୃଙ୍ଖଳିତ ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ସ୍ଥାନରେ ଅବକାରୀ ଚଢାଉ ଜାରି ରହିଛି। ବ୍ରହ୍ମପୁର ଅବକାରୀ ଜିଲ୍ଲାରୁ ମୋଟ 31ଟି ମାମଲା ରୁଜୁ ହୋଇଥିବା ବେଳେ 22 ଜଣଙ୍କୁ ଗିରଫ କରାଯାଇଛି।
ସେହିପରି ଗଞ୍ଜାମ ଜିଲ୍ଲାରେ ମୋଟ 55 ଟି ମାମଲା ରୁଜୁ ହୋଇ 46ଜଣଙ୍କୁ ଗିରଫ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାର ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ, ଲକ୍ଷ୍ମୀକାନ୍ତ ସେଠୀ , ଜିଲ୍ଲା ନିର୍ବାଚନ ଅଧିକାରୀ ବିଜୟାନନ୍ଦ ସେଠୀ, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶକ୍ତିପ୍ରସାଦ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ରହିଥିଲେ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ