ବ୍ରହ୍ମପୁର: ବିଦେଶକୁ ରୋଜଗାର ପାଇଁ ଯାଇ ସେଠାରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡିଆ ଶ୍ରମିକଙ୍କ ମୃତଦେହ ଜନ୍ମମାଟିକୁ ଫେରିଛି । ମୃତକ ହେଉଛନ୍ତି ବ୍ରହ୍ମପୁରର ପ୍ରଦୀପ ପାହାନ । ସେ ଓମାନରେ 'ଡଲଫିନ ଟ୍ରେଡିଂ ଆଣ୍ଡ ଇନଭେଷ୍ଟମେଣ୍ଟ' କମ୍ପାନୀରେ କାମ କରୁଥିଲେ । ବୁଧବାର ତାଙ୍କ ମୃତଦେହ ଗାଁ କମଳାପଦାକୁ ଫେରିଛି । ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଥିବାବେଳେ ମୃତଦେହ ଗାଁରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳ କାନ୍ଦ ବୋବାଳିରେ ଫାଟି ପଡିଛି ।
ସୂଚନାଯୋଗ୍ୟ, ଗତ ୧୪ ତାରିଖ ଦିନ ପ୍ରଦୀପ ମୋବାଇଲ ରିଚାର୍ଜ କରି ରାଜପଥ ଅତିକ୍ରମ କରୁଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଯଦ୍ବାରା ଘଟଣାସ୍ଥଳରେ ହିଁ ସେ ଆଖି ବୁଜିଥିଲେ । ତାଙ୍କ ମୃତ୍ୟୁଦେହ ଜନ୍ମମାଟିକୁ ଫେରାଇ ଆଣିବା ଲାଗି ବାହାରିନ୍ ପ୍ରବାସୀ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ଡ. ଅରୁଣ କୁମାର ଜନ୍ମମାଟି ପ୍ରହରାଜ ପ୍ରୟାସ ଚଳାଇଥିଲେ । ଡକ୍ଟର ପ୍ରହରାଜ ଓମାନ୍ରେ ଭାରତୀୟ ଦୂତାବାସ , Ministry of External Affairs, CMO, Odisha Mo Parivar ଓ କମ୍ପାନିର ମ୍ୟାନେଜର୍ ପରଭେଜ୍ଙ୍କ ସହ ଯୋଗଯୋଗ କରିଥିଲେ ।
ଏହାପରେ ବୁଧବାର ଏୟାର ଇଣ୍ଡିଆ ଫ୍ଳାଇଟ୍ ଯୋଗେ ଭୁବନେଶ୍ଵରରେ ପ୍ରଦୀପଙ୍କ ମୃତଦେହ ପହଞ୍ଚିଥିଲା । ସେଠାରୁ ଆମ୍ବୁଲାନ୍ସରେ ନିଜ ଭିଟାମାଟିକୁ ନିଆଯାଇଥିଲା । ମୃତଦେହ ପହଞ୍ଚିବା ପରେ ଖଲ୍ଲିକୋଟ ତହସିଲଦାର ପହଞ୍ଚି ମୃତକଙ୍କ ପରିବାରକୁ ରେଡକ୍ରସ ଫଣ୍ଡରୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ଦେଇଛନ୍ତି । ଏଥିସହ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ , ବ୍ଲକ ଅଧକ୍ଷା ପ୍ରତିନିଧି, ସ୍ଥାନୀୟ ସରପଞ୍ଚ ପହଞ୍ଚି ମଧ୍ଯ ପରିବାରବର୍ଗକୁ ସାନ୍ତ୍ବନା ଦେବା ସହ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ