ବ୍ରହ୍ମପୁର: ନିଜ ଘର ସମୁଖରେ ଘଣ୍ଟା ଘଣ୍ଟା ଧରି ପଡିରହିଛି ମାଆର ମୃତଦେହ । ହେଲେ ଘର ମଧ୍ୟକୁ ଛାଡିବାକୁ ନାରାଜ ନିଜ ଜନ୍ମକଲା ଝିଅ । ସାମାନ୍ୟ ସମ୍ପତ୍ତି ପାଇବା ପାଇଁ ଗତ କିଛିବର୍ଷ ଧରି ମାଆର ଘରକୁ ନିଜ ନାମରେ ଦଲିଲ କରି କବଜାରେ ରଖିଥିବା ଜଣେ ବଡ ଝିଅର ଏଭଳି କାଣ୍ଡ କାରନାମା ଘଟଣାକୁ ଦେଖି ସାହିପଡୋଶୀ ଓ ପୋଲିସ ବିଭାଗର କର୍ମଚାରୀ ହୋଇଥିଲେ ତାଜୁବ ।
ନିଜ ଘର ସମୁଖରେ ଘଣ୍ଟା ଘଣ୍ଟା ଧରି ପଡିରହିଛି ମାଆର ମୃତଦେହ । ହେଲେ ଘର ମଧ୍ୟକୁ ଛାଡିବାକୁ ନାରାଜ ନିଜ ଜନ୍ମକଲା ଝିଅ । ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ବ୍ରହ୍ମପୁର ସହରର ଶ୍ରୀରାମ ନଗର ଅଞ୍ଚଳରେ । ସ୍ବର୍ଗତ ତାରା ଚରଣ ସାହୁଙ୍କ 82ବର୍ଷୀୟ ପତ୍ନୀ ସୂର୍ଯ୍ୟମଣୀଙ୍କ ବିୟୋଗ ପରେ ପରିବାର ବର୍ଗ ଅନ୍ତିମ ସତ୍କାର କରିବା ପାଇଁ ବ୍ରହ୍ମପୁର ଆଣିବା ପରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା । କିଭଳି ଏବଂ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଥିଲା ଆସନ୍ତୁ ଶୁଣିବା ପରିବାର ବର୍ଗ ଏ ନେଇ କଣ କହୁଛନ୍ତି ।
ବ୍ରହ୍ମପୁର ସହରର ଶ୍ରୀରାମନଗର ଅଞ୍ଚଳର ସୂର୍ଯ୍ୟମଣୀ ରହିଆସୁଥିବା ବେଳେ ଗତ କିଛି ମାସ ଧରି ସେ ଚିକିତ୍ସିତ ହେଉଥିଲେ । ମୃତ ମହିଳାଙ୍କ ସ୍ବାମୀ ତାରା ଚରଣ ସାହୁ ଜଣେ ସେନାଧିକାରୀ ଥିଲେ । ବ୍ରହ୍ମପୁର ସହରର ଶ୍ରୀରାମନଗର ଅଞ୍ଚଳରେ ତିନି ମହଲା କୋଠା ଘର ସହିତ ସହରରେ ଅନେକ ସମ୍ପତ୍ତି ରହିଛି । ଆଉ ତାଙ୍କର ଏକ ମାତ୍ର ପୁଅର ମୃତ୍ୟୁ ପରେ ଏହି ସମ୍ପତ୍ତି କୁ ନେଇ ଏଭଳି ପାରିବାରିକ ବିବାଦ ଲାଗିରହିଥିଲା । ଶେଷରେ ସମ୍ପତ୍ତି ପାଇଁ ସତେ ଯେପରି ମାଆର ସ୍ନେହ ଓ ମମତା ସବୁ କିଛି ତୁଚ୍ଛ କରିଦେଇଛି ନିଜ ଜନ୍ମ କଲା ଝିଅ ।
ଶେଷରେ ପୋଲିସ ଓ ପ୍ରଶାସନର ଉପସ୍ଥିତିରେ ଘରର ତାଲା ଖୋଲାଯାଇ ମୃତଦେହକୁ ଘରକୁ ନେବା ସହ ଶେଷ ଯାତ୍ରା ପାଇଁ ସମସ୍ତ ପ୍ରକାର କାର୍ଯ୍ୟ ଆରମ୍ଭ କରିଥିଲେ ପରିବାର ବର୍ଗ । ଗୋଟିଏପଟେ ବଡ ଝିଅ ତାଲା ପକାଇ ରଖିବା ଏବଂ ଅନ୍ୟପଟେ ପରିବାର ବର୍ଗ ଏବଂ ଅନ୍ୟ ତିନି ଝିଅ ମାଆକୁ ନିଜ ଘରକୁ ନେବାକୁ ଅଡି ବସିବା ଘଟଣାକୁ ନେଇ ସମାଲୋଚନା କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ସନ୍ତାନ ଠାରୁ ମା ଡାକଟିଏ ଶୁଣିବା ତାକୁ ଦଶ ମାସ ଦଶ ଦିନ ଧରି ନିଜ ଗର୍ଭରେ ସାଇତି ରଖିଥିବା ମାଆ ଟି କଣ ସତରେ ତାର ଶେଷ ନିଶ୍ବାସ ଯିବା ସମୟରେ ଏଭଳି ଆଶା କରିଥାଏ । ବିଚିତ୍ର ଏହି ଦୁନିଆରେ ଏଭଳି ଘଟଣା ସଭ୍ୟ ସମାଜ ପାଇଁ ଏକ କଳଙ୍କିତ ଅଧ୍ୟାୟ କହିଲେ ଅତ୍ୟୁକ୍ତି ହେବନାହିଁ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ