ବ୍ରହ୍ମପୁର: ସାଧାରଣ ଜନତାଙ୍କ ନିକଟତର ହେବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ବ୍ରହ୍ମପୁର ସହରରେ ଥିବା ମହିଳା ଥାନା ପରିସରକୁ ଶିଶୁଙ୍କ ପାଇଁ ଅନୁକୂଳ ପରିବେଶ ତଥା ଚାଇଲ୍ଡ ଫ୍ରେଣ୍ଡଲି ଥାନା ଭାବରେ ପରିଣତ କରାଯାଇଛି । ଏହି ଅବସରରେ ଦକ୍ଷିଣାଞ୍ଚଳ ପୋଲିସ ରେଞ୍ଜ ଆଇ.ଜି ସତ୍ୟବ୍ରତ ଭୋଇ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି ।
କୈାଣସି କାରଣରୁ ନିଜ ପରିବାର ସହ ଥାନାକୁ ଆସୁଥିବା ଶିଶୁଙ୍କ ପାଇଁ ଉତ୍ତମ ପରିବେଶ ତଥା ସେମାନଙ୍କ ମନରେ ଏକ ଆନନ୍ଦ ପ୍ରଦାନ ପାଇଁ ଭିନ୍ନ ବାତାବରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏପରି ପରିକଳ୍ପନା କରାଯାଇଥିବା କୁହାଯାଇଛି । ମହିଳା ଥାନାକୁ କୌଣସି ଅଭିଯୋଗକାରୀଙ୍କ ସହ ଆସୁଥିବା ଶିଶୁମାନେ ମଧ୍ୟ ଏଭଳି ପରିବେଶ ପାଇପାରିବେ । ଏହି ନୂତନ କକ୍ଷରେ ଶିଶୁଙ୍କ ଖେଳିବା ସ୍ଥାନ ଓ ଖେଳନା ସହିତ ଶିଶୁଙ୍କ ନିମନ୍ତେ ସ୍ତନ୍ୟପାନ କରାଇବା ସ୍ଥାନ, ବିଶ୍ରାମସ୍ଥଳ, ସ୍ବତନ୍ତ୍ର ଶୌଚାଳୟ ଆଦି ଉପଲବ୍ଧ ରହିଛି ।
ଏହା ମଧ୍ୟ ପଢ଼ନ୍ତୁ: ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ
ଏହି ଅବସରରେ ବନ୍ଦ ଷ୍ଟପ୍ ସେଣ୍ଟର୍ ,ଚାଇଲଡ୍ ଲାଇନ୍, ସିଡବ୍ଲୁସି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ଦକ୍ଷିଣାଞ୍ଚଳ ଆଇ.ଜି ଓ ଆରକ୍ଷୀ ଅଧିକ୍ଷକ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ସର୍ବଣ ବିବେକ ଏମ ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।
ସୂଚନା ଥାଉକି, ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ଆଇନର ପରିସରକୁ ଆସୁଛନ୍ତି ଅନେକ ପିଲା । ଏହା ସହ ଅନେକ ପିଲା ପୋଲିସ ସହାୟତା ଆବଶ୍ୟକତା କରୁଛନ୍ତି । ପିଲାମାନଙ୍କ ପାଇଁ ଥାନା ଭିତରେ ସ୍ବତନ୍ତ୍ର ଅନୁକୂଳ ପରିବେଶର ଆବଶ୍ୟକତା ରହିଛି । ଏହାକୁ ଅନୁଭବ କରି ମୁଖ୍ୟମନ୍ତ୍ରୀ ରାଜ୍ୟର 34 ଜିଲ୍ଲା ପୋଲିସ ଜିଲ୍ଲାରେ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହିସବୁ ପୋଲିସ ଷ୍ଟେସନରେ ଶିଶୁ ମାନଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରାଯିବ ।
ଏହିସବୁ ଥାନାରେ ସ୍ବତନ୍ତ୍ର ଲୋଗୋ ଓ ଫଳକ ରହିବ । ଏହା ସହିତ ପିଲାଙ୍କ ପାଇଁ ଛୋଟ ପୁସ୍ତକାଗାର ମଧ୍ୟ କରାଯିବ। ଏଥିରେ ବିଭିନ୍ନ ରୁଚି ସମ୍ପନ୍ନ ପୁସ୍ତକ, ପତ୍ରପତ୍ରିକା ଓ ସମ୍ବାଦପତ୍ର ରଖାଯିବ । ପିଲାମାନଙ୍କ ସୁବିଧା ପାଇଁ ବିଛଣା, ଚୌକି ଓ ଟେବୁଲ ମଧ୍ୟ ରଖାଯିବ । ଥାନା ପରିସର ମଧ୍ୟରେ ଏକ ଶିଶୁ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ କାନ୍ଥ ଗୁଡିକରେ ସୁନ୍ଦର ଚିତ୍ର ରହିବା ସହିତ ବିଭିନ୍ନ ଶିକ୍ଷଣୀୟ ବିଷୟ ସ୍ଥାନିତ ହେବ । ସାଧାରଣ ଥାନାରୁ ଏହାର ପରିବେଶକୁ ସମ୍ପୂର୍ଣ୍ଣ ଭିନ୍ନ ଭାବେ ଗଢ଼ାଯିବ । ଏହା ଦ୍ବାରା ଥାନାକୁ ଯାଉଥିବା ଶିଶୁମାନଙ୍କ ମାନସିକ ଚାପ ହ୍ରାସ କରିବାରେ ସହାୟକ ହେବବୋଲି ଆଶା କରାଯାଏ ।
ଇଟିଭି ଭାରତ, ବ୍ରହ୍ମପୁର