ବ୍ରହ୍ମପୁର: ଜିଲ୍ଲା ବିଜେପି ସଭାପତିଙ୍କ ଉପରେ ଆକ୍ରମଣ ଯୋଜନାରେ ଦୋଷୀଙ୍କୁ ଗିରଫ ଦାବି । ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କ ଉପରେ ଆକ୍ରମଣ କରିବାକୁ ହୋଇଥିବା ଯୋଜନାରେ ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରି ବ୍ରହ୍ମପୁର ଠାରେ ବିଜେପି ପକ୍ଷରୁ ଦକ୍ଷିଣାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି ।
ଗତ ୧୮ ତାରିଖ ଦିନ ଭୋର ୩ଟା ସମୟରେ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ଗୋଳନ୍ଥରାସ୍ଥିତ ବାସଭବନରେ ସେ ଘରେ ଥିବା ସମୟରେ ବିଭିନ୍ନ ମାରଣାସ୍ତ୍ର ଧରି କିଛି ଦୁବୃର୍ତ୍ତମାନେ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଘର ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ ।
ଏହି ଘଟଣାକୁ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରାଯାଇଥିବାବେଳେ ପୋଲିସ ଘଟଣାସ୍ଥଳରୁ କେତେକ ମାରଣାସ୍ତ୍ର ଜବତ କରିଥିଲେ ମଧ୍ୟ ଘଟଣାକୁ ୫ ଦିନ ବିତିଯାଇଥିଲେ ମଧ୍ୟ ଏଯାବତ ଦୋଷୀଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇନାହିଁ । ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତିଙ୍କୁ ଯୋଜନାବଦ୍ଧ ଭାବରେ ମାରିବାକୁ ଉଦ୍ୟମ ଘଟଣା ଦଳର ହଜାର ହଜାର କାର୍ଯ୍ୟକର୍ତ୍ତାଙ୍କୁ ବ୍ୟଥିତ କରିଛି । ଏଣୁ ପ୍ରମୁଖ ବିରୋଧୀ ଦଳର ଜଣେ ବରିଷ୍ଠ ନେତାଙ୍କୁ ହତ୍ୟା ଉଦ୍ୟମ ପଛରେ ଏକ ପ୍ରକାର ଷଡଯନ୍ତ୍ରର ଗନ୍ଧ ବାରି ହୋଇପଡୁଛି । ଏଣୁ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଷୟକୁ ପୋଲିସ ଗୁରୁତର ସହ ବିଚାରକୁ ନିଆଯାଇ ଦୋଷୀଙ୍କୁ ଗିରଫ ପାଇଁ ଦାବି କରିଛି ଦଳ ।
ଦଳର ପୂର୍ବତନ ଜିଲ୍ଲାସଭାପତି କାହ୍ନୁ ଚରଣ ପତିଙ୍କ ନେତୃତ୍ବରେ ଏକ ଟିମ୍ ପହଞ୍ଚି ଦକ୍ଷିଣାଞ୍ଚଳ ଡି.ଆଇ.ଜି ସତ୍ୟବ୍ରତ ଭୋଇଙ୍କୁ ସାକ୍ଷାତ କରି ସହ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ଘଟଣାରେ ଅବହେଳା ପ୍ରଦର୍ଶନ କଲେ ଦଳ ପକ୍ଷରୁ ଏହାକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ