ବ୍ରହ୍ମପୁର: ସାରା ରାଜ୍ୟରେ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ପକ୍ଷୀ ଗଣନା ଜାରି ରହିଛି । ବ୍ରହ୍ମପୁର ବନ ବିଭାଗ ମଧ୍ୟ ଚାରୋଟି ରେଞ୍ଜରେ ଗତ 3 ତାରିଖରୁ ଚାଲିଥିବା ପକ୍ଷୀ ଗଣନା ଶେଷ ହୋଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବ୍ରହ୍ମପୁର ଫରେଷ୍ଟ ଡିଭିଜିନରେ ୪୨ ଟି ସ୍ଥାନରେ ପକ୍ଷୀ ଚିହ୍ନଟ କରାଯାଇଥିବାବେଳେ 95 ପ୍ରଜାତିର ପକ୍ଷୀ ରହିଥିବା ଦେଖାଯାଇଛି । ଏଥର ମୋଟ 24 ହଜାର ୨୯୮ ଗୋଟି ପକ୍ଷୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସବୁଠାରୁ ଅଧିକା ବାଦୁଦା ନଦୀ ଜଳରେ ଚିହ୍ନଟ ହୋଇଛନ୍ତି । କେବଳ ବାଦୁଦା ନଦୀରେ ପ୍ରାୟ ୪୨ ପ୍ରଜାତିର ୭୯୮୨ ଗୋଟି ପକ୍ଷୀ ରହିଥିବା ଚିହ୍ନଟ ହୋଇଥିବା ବ୍ରହ୍ମପୁର ଏସ୍.ସି.ଏଫ୍ ଅଶୋକ କୁମାର ସୂଚନା ଦେଇଛନ୍ତି ।
ବିଗତ ବର୍ଷ ଜିଲ୍ଲାର ପକ୍ଷୀ ଗଣନା ସମୟରେ ମୋଟ ୩୮ଟି ସ୍ଥାନରେ ୭୨ ପ୍ରଜାତିର ୧୨୩୩୨ ଗୋଟି ପକ୍ଷୀ ଚିହ୍ନଟ ହୋଇଥିଲେ । ଚଳିତବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇବା ସହିତ ମୋଟ ଚାରୋଟି ରେଞ୍ଜରେ ଅଧିକା ପକ୍ଷୀ ଦେଖାଦେଇଛନ୍ତି । ୧୧୯୬୬ ଜଣ ନୂତନ ପକ୍ଷୀ ଦେଖିବାକୁ ମିଳିଥିବା କୁହାଯାଇଛି ।
ତେବେ ଏଥର ବ୍ରହ୍ମପୁର ରେଞ୍ଜରେ ମୋଟ ୧୧ଟି ଟିମ ପକ୍ଷୀ ଗଣନାରେ ନିୟୋଜିତ ରହିଥିବାବେଳେ ମୋଟ ୧୧ ହଜାର ୫୫୪ ଟି ପକ୍ଷୀ ରହିଥିବା ଜଣାପଡିଛି । ଖଲ୍ଲିକୋଟ ରେଞ୍ଜରେ ମୋଟ ୧୨ଟି ଟିମ୍ ୮୯୫୭ ଗୋଟି ପକ୍ଷୀ ରହିଥିବା, ଦିଗପହଣ୍ଡି ରେଞ୍ଜରେ ୧୩ଟି ଟିମ୍ର ଗଣନା ସମୟରେ ୧୮୯୭ ଗୋଟି ପକ୍ଷୀ ଚିହ୍ନଟ କରିଥିବାବେଳେ ସାମନ୍ତିଆପଲ୍ଲୀରେ ୬ ଗୋଟି ଟିମ୍ ୧୮୯୦ ଗୋଟି ପକ୍ଷୀ ଚିହ୍ନଟ କରିଥିବା କୁହାଯାଉଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ