ବ୍ରହ୍ମପୁର: ଅଟୋ ଧକ୍କାରେ ମୋଟର ସାଇକେଲ ଚାଳକ ମୃତ, ମହିଳା ଗୁରୁତର । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅଧୀନସ୍ଥ ପଦ୍ମନାଭପୁର- ଓଡାସିଙ୍ଗି ମଧ୍ୟରେ ଏକ ଡାଲା ଅଟୋ ଧକ୍କାରେ ଜଣେ ମୋଟର ସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ସେଥିରେ ବସିଥିବା ଜଣେ ମହିଳା ଗୁରୁତ୍ତର ହୋଇଛନ୍ତି । ମୃତକ ୨୮ ବର୍ଷୀୟ ଧର୍ମେନ୍ଦ୍ର ରେଡ୍ଡି ହୋଇଥିବା ବେଳେ ଗୁରୁତର ମହିଳା ଜଣଙ୍କ ୪୦ ବର୍ଷୀୟ କୁନ୍ଦ ରେଡ୍ଡୀ ବୋଲି ଜଣାପଡିଛି ।
ସୂଚନାଅନୁଯାୟୀ ରବିବାର ଦିଗପହଣ୍ଡି ବ୍ଲକ କଇଠଡା ଗ୍ରାମର ୨୮ ବର୍ଷୀୟ ଧର୍ମେନ୍ଦ୍ର ରେଡ୍ଡି ଓ ତାଙ୍କ ସମ୍ପର୍କୀୟ ମହିଳା ଜଣକ ମୋଟର ସାଇକେଲେ (ନଂ- OD ୦୭ YE ୨୪୦୬) ଯୋଗେ ରାସନ୍ ସାମଗ୍ରୀ ଆଣିବା ନିମନ୍ତେ ଦିଗପହଣ୍ଡି ଆସୁଥଲେ । ଏହି ସମୟରେ ଉଜ୍ଜଳେଶ୍ବର ରାଇସ୍ ମିଲ ନିକଟରେ ନୂଆପଡ଼ା ଗ୍ରାମରେ ଲାଇଟ୍ ଏଣ୍ଡ ସାଉଣ୍ଡର ଡାଲା ଅଟୋର ଚାଳକ ଜଣଙ୍କ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସି ମୁହାଁମୁହିଁ ଧକ୍କା ଦେଇଥିଲା । ଘଟଣାସ୍ଥଳରୁ ଗ୍ରାମବାସୀଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ତେବେ ଉପସ୍ଥିତ ଡାକ୍ତର ଧର୍ମେନ୍ଦ୍ରଙ୍କୁ ମୃତ ଘୋଷିତ କରିଥିବା ବେଳେ ଗୁରୁତର ମହିଳାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିାକଲକୁ ସ୍ଥାନାନ୍ତରିତ କରାଯାଇଛି ।
ଘଟଣାସ୍ଥଳରୁ ଡାଲା ଅଟୋ ଚାଳକକୁ ଗ୍ରାମବାସୀ କାବୁ କରି ଦିଗପହଣ୍ଡି ପୋଲିସକୁ ଜିମା ଦେଇଥିବା ବେଳେ ପୋଲିସ ଦୁର୍ଘଟଣା ସ୍ଥଳରୁ ଉଭୟ ଗାଡ଼ିକୁ ଜବତ କରିଥିବା ବେଳେ ମୃତ ଦେହକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ