ବ୍ରହ୍ମପୁର: ଭଞ୍ଜବିହାରର ୫୬ ତମ ପ୍ରତିଷ୍ଠା ଦିବସ ପାଳିତ (Bhanjabihar ୫୬th foundation day) । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ ଅବସରରେ ଭାଷା ପାଇଁ ପଦ୍ମଭୂଷଣ ରମାକାନ୍ତ ରଥଙ୍କୁ ପ୍ରଦାନ କରାଯାଇଛି । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯିବା ସହିତ ଏକ ଲକ୍ଷ ଟଙ୍କା ସହ ଅଙ୍ଗ ବସ୍ତ୍ର ପ୍ରଦାନ କରାଯାଇଥିଲା।
ବିଶ୍ବବିଦ୍ୟାଳୟର କୁଳପତି ଡ. ଗୋବିନ୍ଦ ଚକ୍ରପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ପଦ୍ମଶ୍ରୀ ହଳଧର ନାଗ ଯୋଗ ଦେଇଥିଲେ। ଏହି ଅବସରରେ ଯୋଡିଶଙ୍ଖ, ଚଢେୟା ନୃତ୍ଯ, ରଣପା ଭଳି ବହୁ ଲୋକକଳାରେ ପାରିଦର୍ଶିତା ପ୍ରଦର୍ଶନ କରିଥିବା ଗଞ୍ଜାମର କଳାକାର ରାଜେନ୍ଦ୍ର ମହାପାତ୍ର ଏବଂ ଆଦିବାସୀ କୋୟା ନୃତ୍ଯରେ ଦକ୍ଷତା ପ୍ରତିପାଦନ କରି ସମସ୍ତ ଦେଶରେ ଦୃଷ୍ଟି ଆକର୍ଷଣ କରିଥିବା ସଂସ୍କୃତି ପ୍ରେମୀ ଶାନ୍ତି କବାସୀଙ୍କୁ ଦକ୍ଷିଣ ଓଡିଶା ଲୋକ ସଂସ୍କୃତି ସମ୍ମାନ ଭାବେ ସମ୍ମାନିତ କରାଯାଇଥିଲା । ବିଶିଷ୍ଟ ଲେଖକ, ନିର୍ଦ୍ଦେଶକ, ପ୍ରଯୋଜକ ମନ୍ମଥ କୁମାର ଶତପଥୀଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ମାନୀତ କରାଯାଇଥିବା ବେଳେ ବିଶିଷ୍ଟ କବି, ଶିକ୍ଷାବିତ୍ କୃଷ୍ଣ ଚନ୍ଦ୍ର ତ୍ରିପାଠୀଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇଥିଲା ।
ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଦିବସ ଅବସରରେ ମୃତ୍ଯୁଞ୍ଜୟ ମହାପାତ୍ର ଓ ସଂଘମିତ୍ରା ପତି ଦୁଇ ଜଣ ପ୍ରତିଭାବାନ ବ୍ଯକ୍ତି ବିଶେଷଙ୍କୁ ଆଲୁମିନା ପୁରସ୍କାରରେ ପୁରସ୍କୃତ କରାଯାଇଛି। ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଲୋକ କବି ରତ୍ନ ତଥା ପଦ୍ମ ଡଃ ହଳଧର ନାଗ୍ ଯୋଗ ଦେଇ ଉଚ୍ଚ ଶିକ୍ଷାର ମହତ୍ତ୍ବ ଏବଂ ସାହିତ୍ଯ, କଳା, ସଂସ୍କୃତିର ଗାରିମା ଉପରେ ଉପଯୋଗୀ ପରାମର୍ଶ ଦେଇଥିଲେ । ବିଶିଷ୍ଟ ଆଧୁନିକ କବି ରମାକାନ୍ତ ରଥ ଭଞ୍ଜ କବି, ଭାଷା ଉପରେ ବହୁ ଉପାଦେୟ ବିଷୟ ସମ୍ପର୍କରେ ମତବ୍ୟକ୍ତ କରିବା ସହ ଭାଷାକୁ ଉପଯୁକ୍ତ ସମ୍ମାନ ଦେବା ଆବଶ୍ୟକ ବୋଲି କହିଛନ୍ତି ।
ସେହିଭଳି ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟତା ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବାର ୫୬ ବର୍ଷ ପୂର୍ତ୍ତି ହୋଇଥିବାବେଳେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏହି ବିଶ୍ବବିଦ୍ୟାଳୟ ବହୁ ମାଇଲଖୁଣ୍ଟ ଛୁଇଁଥିବା କୁହାଯାଇଛି । ଏହି ଅବସରରେ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ ସହ ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ