ବ୍ରହ୍ମପୁର: ଆଉ ଗୋଟିଏ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏହି ଅବସରରେ କେହି ଆଇସକ୍ରିମ କାଠିରେ ତ ଆଉ କେହି ଶସ୍ୟରେ ମହାପ୍ରଭୁ ଏବଂ ନନ୍ଦିଘୋଷ ରଥର ପ୍ରତିକୃତି ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି । ସେହିପରି ବ୍ରହ୍ମପୁରର ଜଣେ ଛାତ୍ର କାଠରେ ତିଆରି କରିଛନ୍ତି ଅବିକଳ ଶ୍ରୀମନ୍ଦିର । ଏହାକୁ ନିର୍ମାଣ କରିବାକୁ ତାଙ୍କୁ 45 ଦିନ ସମୟ ଲାଗିଥିବା ବେଳେ ସିଂହଦ୍ବାର ଠାରୁ ମୁଖ୍ୟ ମନ୍ଦିରକୁ ମିଶାଇ ଏହି ଶ୍ରୀମନ୍ଦିରର ଉଚ୍ଚତା ସାଢେ ପାଞ୍ଚ ଇଞ୍ଚ ରହିଛି ।
ଖଲ୍ଲିକୋଟ କଲେଜରେ ଯୁକ୍ତ ତିନି ବାଣିଜ୍ୟ ବିଭାଗର ପ୍ରଥମ ବର୍ଷର ଛାତ୍ର ଦିଲ୍ଲୀପ ମହାରଣା । ସେ କେବେ ପୁରୀ ଯାଇନାହାନ୍ତି କିମ୍ବା ସ୍ବଚକ୍ଷୁରେ ଶ୍ରୀମନ୍ଦିର ଦେଖିନାହାନ୍ତି । ହେଲେ ନିଜ ପରିଜନଙ୍କ ସହାୟତାରେ ଏବଂ ଟିଭି କିମ୍ବା କୌଣସି ଚିତ୍ରରେ ଶ୍ରୀମନ୍ଦିରର ଛବି ଦେଖି ଏହାର ଅବିକଳ ମଡେଲକୁ କାଠରେ ତିଆରି କରିଛନ୍ତି । କାଠ ନିର୍ମିତ ଏହି ବଡଦେଉଳରେ ମେଘନାଦ ପାଚେରୀ, ମୁଖ୍ୟ ମନ୍ଦିର, ଜଗମୋହନ, ଭୋଗ ମଣ୍ଡପ, ନୀଳଚକ୍ର ସହିତ ପତିତ ପାବନା ବାନା ମଧ୍ୟ ରହିଛି । ମନ୍ଦିର ବେଢା, ଛୋଟରୁ ବଡ 10 ରୁ ଉର୍ଦ୍ଧ୍ବ ପାର୍ଶ୍ବ ମନ୍ଦିର, ଚାରି ଦ୍ବାର ଏବଂ ଏକ ଇଞ୍ଚର ପତିତପାବନ ବିଗ୍ରହ ବି ଖୋଦିତ ହୋଇଛି ।
ବ୍ରହ୍ମପୁର ସହରର ବଡବଜାର ଅଞ୍ଚଳସ୍ଥିତ ସାନ ରେଡ୍ଡିକା ସାହିର ପିତା ଭଗବାନ ମହାରଣା ଏବଂ ମାତା ଝୁନୁ ମହାରଣାଙ୍କ ସାନପୁଅ ଦିଲ୍ଲୀପ । ତାଙ୍କ ଦ୍ବାରା ଏଭଳି କାଠରେ ପ୍ରସ୍ତୁତ ମେଡଲ ଆଗାମୀ ଦିନରେ ଗିନିଜ୍ ବୁକ୍ ରେକର୍ଡ ଏବଂ ଅନ୍ୟ ରେକର୍ଡରେ ସ୍ଥାନ ପାଇବ ବୋଲି ସେ ଆଶା ରଖିଛନ୍ତି ।
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ