ବ୍ରହ୍ମପୁର: ରାଜ୍ୟ କ୍ୟାବିନେଟ ବୈଠକରେ ରାଜ୍ୟର ବିକାଶ ପାଇଁ ୨୦ ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିମଧ୍ୟରେ ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଗୁମ୍ମା ଓ କାଶୀ ନଗର ବ୍ଲକର ଜନସାଧାରଣଙ୍କ ବହୁ ଦିନର ଦାବି ତଥା ଦୁଇ ବ୍ଲକର ପ୍ରାୟ ୬୦ ହଜାର ଜନସାଧାରଣଙ୍କୁ ପାନୀୟ ଜଳ ପ୍ରକଳ୍ପ ପାଇଁ ୧୩୫ କୋଟି ଟଙ୍କା ବ୍ୟୟ ମଞ୍ଜୁରକୁ କ୍ୟାବିନେଟ୍ ମୋହର ମାରିଛି ।
ଏହି ଖବର ଗଜପତିରେ ପହଞ୍ଚିବା ପରେ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି ବୋଲି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସାଂସଦ କହିଛନ୍ତି ଯେ ଗଜପତି ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ସୁଦ୍ଧା ୫୦୦ କୋଟି ପ୍ରଦାନ କରିଥିବା ବେଳେ କୋରୋନା ରୂପକ ମହାମାରୀ ସମୟରେ ଆଉ ୧୩୫ କୋଟି ଟଙ୍କା ଜିଲ୍ଲାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଦାନ କରିଛନ୍ତି ।
ଉକ୍ତ ଯୋଜନାରେ କାଶୀନଗର ବ୍ଲକର ୧୦ ଗୋଟି ପଞ୍ଚାୟତର ୭୮ ଟି ଗ୍ରାମର ୪୮ ହଜାର ଜନସାଧାରଣ ଏବଂ ଗୁମ୍ମା ବ୍ଲକର ୪ଟି ପଞ୍ଚାୟତର ୧୬ ଟି ଗ୍ରାମର ୧୨ ହଜାର ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ