ବ୍ରହ୍ମପୁର: ଆଜି (ସୋମବାର) ଥିଲା ନାମାଙ୍କନ ଦାଖଲ ପକ୍ରିୟାର ଶେଷ ଦିନ । ଏହି ଅବସରରେ ବ୍ରହ୍ମପୁର ବିଜେପି ମେୟର ପ୍ରାର୍ଥିନୀ ନିଜ ସମର୍ଥକଙ୍କ ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହାସହିତ ସେ ଜିତିଲେ ଘରେ ଘରେ କେନ୍ଦ୍ରୀୟ ଯୋଜନା ପହଞ୍ଚାଇବେ ବୋଲି ପ୍ରତିଶ୍ରୁତି ଦେଇଥିବା ଦେଖିବାକୁ ମିଳିଛି ।
ଏହାସହ ସାରା ସହରକୁ ସବୁଜ ସୁନ୍ଦର ସହରରେ ପରିଣତ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ମେୟର ବିଜେପି ପ୍ରାର୍ଥନୀ ଡ. ସବିତା ସୁଆର । ବିଜେପି ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମର ମେୟର ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ ଶେଷ ଦିବସରେ ସବିତା ନିଜର ସମର୍ଥକଙ୍କ ସହ ଦଳୀୟ ନେତୃବୃନ୍ଦଙ୍କୁ ନେଇ ବ୍ରହ୍ମପୁର ସହରର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚି ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।
ଏହି ଅବସରରେ ଦଳର ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ବରିଷ୍ଠ ନେତା କାହ୍ନୂଚରଣ ପତିଙ୍କ ସମେତ ଦଳର ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ । ସୂଚନା ଥାଉ କି ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହେବାକୁ ଥିବା ବେଳେ ୨୬ ତାରିଖରେ ଗଣତି ପ୍ରକ୍ରିୟା ଆରମ୍ଭ ହେବ ।
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ