ବ୍ରହ୍ମପୁର: କୋରୋନାର ଦ୍ବିତୀୟ ଲହର ବର୍ତ୍ତମାନ ସାଙ୍ଘାତିକ ରୂପ ନେବାକୁ ବସିଲାଣି । ବ୍ରହ୍ମପୁର ସହରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଚାରୋଟି ସାହିକୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହି ସାହିକୁ ନିଷେଧାଞ୍ଚଳ ଭାବେ ଘୋଷଣା କରିବା ସହ ବ୍ୟାରିକେଡ୍ କରାଯାଇଛି ।
ସହରର ହିଲପାଟଣା ୧ମ ଲାଇନ୍ ଓ ୩ୟ ଲାଇନ୍, ଗାନ୍ଧିନଗର ୧ମ ଲାଇନ୍, ଗୋଦାବରୀଶ ନଗରରେ ୪ର୍ଥ ଲାଇନ୍କୁ ନିଷେଧାଞ୍ଚଳ ଭାବେ ଘୋଷଣା କରାଯାଇଥିବା ବିଏମ୍ସି କମିଶନର ଡ.ସିଦ୍ଧେଶ୍ଵର ବଳିରାମ ବୋନ୍ଦର କହିଛନ୍ତି । ଏହି ସାହିକୁ ସାଧାରଣ ଜନତାଙ୍କ ଗମନାଗମନକୁ ବାରଣ କରାଯାଇଛି ।
ସାହି ଲୋକଙ୍କୁ ମଧ୍ୟ ବାହାରକୁ ବାହାରିବା ପାଇଁ ମନା କରାଯାଇଥିବାବେଳେ ଆବଶ୍ୟକ ପଡିଲେ ଅନ୍ଲାଇନ୍ରେ ସବୁ ଘର ପାଇଁ ଆବଶ୍ୟକୀୟ ସାମଗ୍ରୀ ମଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କେତେ ତାରିଖ ପର୍ଯ୍ୟନ୍ତ ଏହି ଘୋଷଣା ଜାରି ରହିବ ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।
ଉପରୋକ୍ତ ୪ଟି ସାହିରୁ ବହୁ ସଂଖ୍ୟାରେ ପଜେଟିଭ୍ ବାହାରିବା ପରେ ବିଏମସି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। କୋଭିଡର ଦ୍ବିତୀୟ ଲହରରେ ବ୍ରହ୍ମପୁର ସହରରେ ସଂକ୍ରମଣ ରୋକିବା ପାଇଁ ପ୍ରଥମଥର ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ ଆରମ୍ଭ କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ