ବ୍ରହ୍ମପୁର: ମାତୃମୃତ୍ୟୁ ହାର ରୋକିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରୟାସ । ଜିଲ୍ଲାରେ ସମସ୍ତ ଗର୍ଭବତୀଙ୍କୁ ମାଗଣାରେ ଯୋଗାଇ ଦିଆଯିବ ତିନିଥର ଅଲଟ୍ରାସାଉଣ୍ଡର ସୁବିଧା । ଏନେଇ ଗତକାଲି(ମଙ୍ଗଳବାର)ଜିଲ୍ଲା ସ୍ତରୀୟ ସମନ୍ବିତ ଶିଶୁ ବିକାଶ ଯୋଜନା ସମୀକ୍ଷା ବୈଠକରେ ଆଲୋଟନା କରାଯାଇଥିଲା । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମନ୍ବିତ ଶିଶୁ ବିକାଶ ଯୋଜନା ସମୀକ୍ଷାରେ ଭି.ଏଚ୍.ଏସ୍.ଏନ୍.ଡି. ବୈଠକ ଗୁଡିକୁ ଶତ ପ୍ରତିଶତ ସଫଳ କରିବା ପାଇଁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ପୋଷଣ ଅଭିଯାନକୁ ସଫଳ କରିବା ପାଇଁ ଜିଲ୍ଲାପାଳ ଗୁରୁତ୍ବ ଦେବା ସହ ଜିଲ୍ଲାରେ ମାତୃମୃତ୍ୟୁ ହାର ରୋକିବା ନିମନ୍ତେ ଆଗାମୀ ଦିନରେ ସମସ୍ତ ଗର୍ଭବତୀଙ୍କୁ ମାଗଣାରେ ତିନୋଟି ଅଲଟ୍ରାସାଉଣ୍ଡର ସୁବିଧା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ବାଲ୍ୟ ବିବାହ ଏବଂ କନ୍ୟା ଭୃଣହତ୍ୟା ରୋକିବା ନିମନ୍ତେ ଜିଲ୍ଲାରେ ଚାଲୁଥିବା ନିର୍ଭୟା କଢି ଏବଂ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଆହୁରି ଅଧିକ ଲୋକ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରତି ଶନିବାର ଅଙ୍ଗନଓ୍ବାଡି କେନ୍ଦ୍ରରେ ଚାଲୁଥିବା ନିର୍ଭୟା କଢି, ମୋ ଗେହ୍ଲା ଝିଅ ଏବଂ ଆଦ୍ବିକା କାର୍ଯ୍ୟକ୍ରମ ଗୁଡିକୁ ନିୟମ ଅନୁଯାୟୀ ପାଳନ କରିବା ପାଇଁ ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଜିଲ୍ଲାରେ ଥିବା ସମସ୍ତ ଅଙ୍ଗନଓ୍ବାଡି କର୍ମୀ ଏବଂ ସହାୟିକା ମାନଙ୍କର ଖାଲିଥିବା ପଦବୀ ପୂରଣ ପାଇଁ ତୁରନ୍ତ ପଦକ୍ଷେପ ନେବା ସହ ଅନ୍ୟାନ୍ୟ ସମସ୍ତ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପର କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ସମସ୍ତ ସିଡିପିଓମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ୍ବି. କିର୍ତ୍ତୀ ଓ୍ବାସନ୍, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାଶ, ମହିଳା ସରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର, ମମତା ଯୋଜନାର ଜିଲ୍ଲା ପ୍ରକଳ୍ପ ସଂଯୋଜକ କରୁଣାକର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।
ଇଟିଭି ଭାରତ, ବ୍ରହ୍ମପୁର