ବ୍ରହ୍ମପୁର: ଶିଳ୍ପାନୁଷ୍ଠାନ ବାହାରେ ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣା ପ୍ରତିରୋଧ ସଂପର୍କିତ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆକସ୍ମିକ ବିପର୍ଯ୍ୟୟ ଓ ରାସାୟନିକ ଦୁର୍ଘଟଣାରୁ ହେଉଥିବା ଜୀବନହାନୀକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି । ସଦର ମହକୁମ୍ମା ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏହି ବୈଠକ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଅମିୟ କୁମାର ସାହୁ ବୈଠକରେ ଅଧ୍ୟକ୍ଷତା କରିଥିଲେ ।
ଆୟୋଜିତ ବୈଠକରେ ଗଞ୍ଜାମ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମ୍ପର୍କରେ ଆଲୋଚନା ହୋଇଥିଲା । ଅନ୍ତର୍ଜାତୀୟ ଗଞ୍ଜାମ ଜିଲ୍ଲା ସ୍ତରରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ସୁନାମ ରହିଛି । ତାସାଙ୍ଗକୁ କୋଭିଡ୍ ମହାମାରୀର ପ୍ରଥମ ଓ ଦ୍ୱିତୀୟ ଲହରକୁ ମୁକାବିଲା କରିବାରେ ଜିଲ୍ଲା ସଫଳତା ହାସଲ କରିଛି । ଜିଲ୍ଲା ପ୍ରଶାସନର ଟିମ୍ୱାର୍କ(Team Work) ଭାବେ କାମ କରି ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚିପାରିଛି । ଏହି କ୍ରମରେ କାରଖାନା ବାହାରେ ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣାକୁ ପ୍ରତିରୋଧ କରିବା ପାଇଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଛୋଟ ବଡ କାରଖାନା ଗୁଡ଼ିକୁ ସମନ୍ଵୟ ରଖି କାମ କରିବାକୁ ବୈଠକରେ ଆହ୍ୱାନ କରାଯାଇଛି ।
ବିଗତବର୍ଷ ଗୁଡିକରେ ଜାତୀୟ ରାଜପଥରେ ଚାରି ଥର ଗ୍ୟାସ୍ ଟ୍ୟାଙ୍କର ଓଲଟି ଦୁର୍ଘଟଣା ଘଟିଛି । ଏଥିରେ ପ୍ରାୟ ୫ ଜଣଙ୍କ ଜୀବନହାନୀ ହୋଇଥିବା ବେଳେ ଗ୍ୟାସ୍ ଟ୍ୟାଙ୍କର ଉଦ୍ଧାର କାର୍ଯ୍ୟ ପାଇଁ ଦୀର୍ଘ ସମୟ ଲାଗିଛି । ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଯାତାୟତ ଠପ୍ ହେବା ସହ ହଜାର ହଜାର ଯାନବାହନ ଅଟକି ରହୁଛି । ଜିଲ୍ଲାର ଓଡ୍ରାଫ୍, ଅଗ୍ନିଶମ ,ପୋଲିସ ଓ ପ୍ରଶାସନ ଅଧିକାରୀ ମାନେ ଲୋକଙ୍କୁ ସଚେତନତା କରିବା ବ୍ୟତୀତ ଏଭଳି ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣାକୁ ରୋକିବାରେ ସମ୍ଭବପର ହୋଇପାରିବେ ନାହିଁ । ଏଥିପାଇଁ ବୈଷୟିକ ଜ୍ଞାନ ସହିତ ବା ଟେକ୍ନିକାଲ ଟିମ୍ ସହ ଅନ୍ୟାନ୍ୟ ଯାବତୀୟ ସାମଗ୍ରୀର ଆବଶ୍ୟକତା ରହିଛି । ଏଣୁ ଏହିପରି ଦୁର୍ଘଟଣାକୁ ପ୍ରତିରୋଧ ଏବଂ ତୁରନ୍ତ ଉଦ୍ଧାର କରିବା ପାଇଁ ଆଇଓସିଏଲ୍ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ଏକ ଟେକ୍ନିକାଲ ଟିମ୍ ସହ ସମସ୍ତ ଯନ୍ତ୍ରପାତି ସହ ୨୪ ଘଣ୍ଟା କାମ କରିବା ପାଇଁ ବ୍ୟବସ୍ଥା କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ବୈଠକରେ ପରାମର୍ଶ ଦେଇଛନ୍ତି ।
ଏହାକୁ ଭାରତୀୟ ଶିଳ୍ପ ଏବଂ ବାଣିଜ୍ୟ ସଂଘ ପ୍ରତିଷ୍ଠାନ, ଆଇଓସିଏଲ୍ ସହ ସମନ୍ୱୟ ରଖି ପଦକ୍ଷେପ ନେବାକୁ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରସ୍ତାବ ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ଏକ ଶିଳ୍ପ ଜିଲ୍ଲା ଏବଂ ୧୬ ନମ୍ବର ଜାତୀୟ ରାଜପଥ ଗଞ୍ଜାମ ଜିଲ୍ଲା ଦେଇ ଗତି କରିଛି । ଓଡ଼ିଶା ବାହାରୁ ଟ୍ୟାଙ୍କର ଯୋଗେ ଏମୋନିଆ ଭଳି ବିଭିନ୍ନ ବିଷାକ୍ତ ରାସାୟନିକ ଗ୍ୟାସ ଟ୍ୟାଙ୍କର ଯାତାୟତ ହୋଇଥାଏ । ସମ୍ଭାବ୍ୟ ଦୁର୍ଘଟଣାକୁ ପ୍ରତିହତ କରିବା ପାଇଁ ଜନସେଚତନତା ସହ ଶିଳ୍ପାଞ୍ଚଳ ଜନ ସାଧାରଣଙ୍କୁ ବ୍ୟାପକ ସତର୍କତା ଓ ସୁରକ୍ଷା ଅବଲମ୍ବନ ପାଇଁ ଶିଳ୍ପ ସଂସ୍ଥା ଗୁଡିକ ଜ୍ଞାନ ଦେବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଗଞ୍ଜାମ ଜିଲ୍ଲାରେ ଛୋଟ ବଡ କରି ୨୫ ଗୋଟି କାରଖାନା ରହିଛି ।
ଶିଳ୍ପସଂସ୍ଥାର ଚତୁଃପାର୍ଶ୍ୱରେ ରହିଥିବା ଜନସାଧାରଣ ମାନଙ୍କର ସୁରକ୍ଷା ପ୍ରତି ଧ୍ୟାନ ଦେବା ଦିଗରେ ଗୁରୁତ୍ୱାରୋପ କରାଯାଇଛି । ଏହି ଅବସରରେ ଜିଲ୍ଲା ପରିବହନ ଅଧିକାରୀ ଚଳିତ ବର୍ଷ ଘଟିଥିବା ଦୁଇଟି ଗ୍ୟାସ୍ ଟ୍ୟାଙ୍କର ଦୁର୍ଘଟଣା ସମୟରେ ଯେଉଁ ସବୁ ସମସ୍ୟା ଗୁଡିକ ଦେଖାଦେଇଥିଲା ତାହାର ସମାଧାନ ଦିଗରେ ଶିଳ୍ପାନୁଷ୍ଠାନ ଗୁଡିକ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି । ବିଶେଷ କରି ଗଞ୍ଜାମ ଜିଲ୍ଲା ନିକଟରେ ଗ୍ୟାସ୍ ଟ୍ୟାଙ୍କର ଉଦ୍ଧାର କାର୍ଯ୍ୟରେ ଟେକ୍ନିକାଲ ଟିମ୍ କିମ୍ୱା ଆବଶ୍ୟକ ଯନ୍ତ୍ରପାତି ନଥିବାରୁ ଜଟଣୀ ଏବଂ ବିଶାଖପାଟଣା ଅଞ୍ଚଳରୁ ଉଦ୍ଧାର ଟିମ୍ ପହଞ୍ଚିବା ସମୟ ପାର୍ଯ୍ୟନ୍ତ ଅଞ୍ଚଳରେ ବିଭିନ୍ନ ସମସ୍ୟା ଦେଖାଦେଇଥିଲା । ଏଣୁ ଗଞ୍ଜାମ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଭାବେ ବୈୟୟିକ ଜ୍ଞାନ ରହିଥିବା ଟିମ୍ ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଉଥିବା ଯନ୍ତ୍ରପାତି ରହିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ।
ଏହାସହ ଆସନ୍ତା ଦିନରେ କାରାଖାନା ପରିସରରେ ଏବଂ ବାହାରେ ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣାକୁ ପ୍ରତିରୋଧ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିବା ପାଇଁ ଉଦ୍ୟମ ଜାରି ରହିଛି । ବିଭାଗର ଦୁଇଜଣ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାର ଥିବା ବିଭିନ୍ନ କାରଖାନାକୁ ଗସ୍ତ କରି ସେଠାରେ ସୁରକ୍ଷା ଦିଗରେ କେଉଁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଆଗକୁ ଆଉ କେଉଁ ପ୍ରକାର ପଦକ୍ଷେପ ନିଆଗଲେ ଉଚିତ୍ ରହିବ ତାହାକୁ ନେଇ ତଦାରଖ କରାଯିବ ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁକାନ୍ତ ଚନ୍ଦ୍ର ମିଶ୍ର, ଆଦିତ୍ୟ ବିର୍ଲାର ଜିଏମ୍ ଟେକ୍ନିକାଲ ହରଦୀପ୍ କୋହଲି, ୟୁନିଟ୍ ମୁଖ୍ୟ ଏବଂ କାରାଖାନ ମ୍ୟାନଜର (ଟାଟାଷ୍ଟିଲ୍) ବି.ଶ୍ରୀନିବାସ, ସରାଫ ଟିଟାନିୟମର ଜିଏମ୍ (ଏଚ୍ଆର୍) ଡକ୍ଟର ଯୋଗେନ୍ଦ୍ର ନାୟକ, ଏମ୍.ଡି. ଟି.ସଚିଦାନନ୍ଦ ଏବଂ ଅନ୍ୟାନ୍ୟ କାରାଖାନାର କର୍ତ୍ତୃପକ୍ଷ ପ୍ରମୁଖ ଯୋଗଦେଇଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ